Unknown

ସନ୍ଧ୍ୟା ସଙ୍ଗୀତ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତିଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତିନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତିକୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ-। ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

 

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

 

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

 

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷାନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲାମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି-? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ-। ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ-। ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ-। ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ-। ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ-। ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ-। ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ-। ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

 

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

 

ଇନ୍ଦ୍ର−ତାରକା ସୁନ୍ଦର ଆଜି

ପବନ ମନ୍ଦ ମନ୍ଦ,

ବିଧୂନିତ ହୃଦ−ମନ୍ଦିରେ ମମ

ମୁକ୍ତ ମଧୁର ଛନ୍ଦ ।

 

ସିନ୍ଧୁ−ସଲିଳ−ସିକ୍ତ−ପବନ

କୁଞ୍ଜ−କାନନ−ଗନ୍ଧ ହରିଣ

ଛନ୍ଦେ ଛନ୍ଦେ ନାଚଇ ବିଶ୍ୱ

ବନ୍ଦଇ ଆଦିକନ୍ଦ ।

 

 

 

ନନ୍ଦନବନ ମନ୍ଦାର ଫୁଲ

ବିତରଇ ମଧୁଗନ୍ଧ,

କୋକନଦ ବନେ ମତ୍ତ ମଧୁପ

ପିଇ ପିଇ ମକରନ୍ଦ ।

 

ସୁନ୍ଦର ଆଜି ବିଶ୍ୱଭୂବନ,

ବିମୋହିତ ଖିଳ ମାନବର ମନ,

ପ୍ରେମ ଚନ୍ଦନ−ଚର୍ଚ୍ଚିତ କରି ସୁନ୍ଦରେ ଆଜି ବନ୍ଦ ।

 

ସନ୍ଧ୍ୟା ଆରତି

 

ବାସର−ତିମିରୀ−ମହା−ଅଦ୍ଭୁତ−ସନ୍ଧିରେ

ଶଙ୍ଖ ଘଣ୍ଟା ବାଜି ଉଠେ ମନ୍ଦିରେ ମନ୍ଦିରେ ।

ବିଶ୍ୱ−ବଡ଼ଦାଣ୍ଡେ ଅହୋ ମମ ପାନ୍ଥ−ପ୍ରାଣ !

କର୍ମ୍ମସ୍ରୋତେ ଏତେ କାଳ ଥିଲୁ ଭାସମାନ

 

ବଡ଼ ଦେଉଳରେ ଜଳି ଉଠେ ସନ୍ଧ୍ୟାବତି;

ଦେଖି ଗାଅ ଶ୍ରାନ୍ତ ମନ ! ସନ୍ଧ୍ୟାର ଆରତି,

ରେ ମନ ଭ୍ରମର ! ବୁଡ଼ି ଯାଅ ହୃଦ–ପଦ୍ନେ ।

ଚିନ୍ତା କରୁ ବିଶ୍ୱ−ତତ୍ତ୍ୱ ପଶି ଆତ୍ମସଦ୍ମେ

 

ସନ୍ଧ୍ୟା ତାରା

ଅପାର ଅଗମ୍ୟ ଏହି ଅସୀମ ଗଗନ,

ଗୋଟିଏ ତାରକା ତହିଁ କିବା ଶୋଭବନ !

ପଶ୍ଚିମ ଆକାଶେ ରବି ଯାଉଅଛି ବୁଡ଼ି,

ଗାଇଣ ମେଲାଣି ଗୀତ ପକ୍ଷୀ ଯାଏ ଉଡ଼ି ।

କି ସୁନ୍ଦର କି ବିଚିତ୍ର ବିଶାଳ ଆକାଶ,

କେ କହିବ କେବୁଁ ଏହା ରହିଛି ପ୍ରକାଶ !

 

ବୈଦିକ ଋଷିଏ ବାଲମିକୀ, କାଳିଦାସ,

ଭବଭୂତି, ଆଦିକବି ଚିତ୍ରଲେ ଆକାଶ’

ହୋମର୍ , ବର୍ଜିଲ୍, ଦାନ୍ତେ, ପିତ୍ରାର୍କ, ମିଲଟନ

ଏ ସୁନ୍ଦର ନଭେ ଦେଖି ହେଲେ ମୁଗ୍‌ଧମନ,

ଅମୃତ ମଧୁର ସ୍ୱରେ ବିଚିତ୍ର ଭାବରେ

ଚିତ୍ରି ଗଲେ କେତେ କବି କବୀନ୍ଦ୍ର ଅମ୍ୱରେ ।

 

ତଥାପି ଅନନ୍ତ ଶୋଭା−ଶ୍ରୀକୋଠଭଣ୍ଡାର

ଅକ୍ଷୟ ଅଖଣ୍ଡ ହୋଇ ରହିଛି ଏହାର ।

କି ଅମୃତ ଢ଼ାଳି ତାକୁ ଗଢ଼ିଅଛି ବିହି,

କି ଅମୂଲ୍ୟ ରତ୍ନ ତହିଁ ଅଛି ଧାତା ଲିହି !

ସରି ନାହିଁ ନ ସରିବ ତା ଅନନ୍ତକାଳେ

ଯେତେ ଦିନ ଥିବ ନର ହୃଦୟ କଙ୍କାଳେ ।

 

ରହିଅଛି ମୁହିଁ ଆଜି ଦୂର ପ୍ରବାସରେ,

ପ୍ରାଣପ୍ରିୟ ଯାହା ଛାଡ଼ି ଆସିଅଛି ଘରେ ।

ସେ ସ୍ଥାନ ଏ ସ୍ଥାନ ମଧ୍ୟେ ଦୂର ବ୍ୟବଧାନ,

କେବଳ ରହିଛି ଏକ ଅନନ୍ତ ଗଗନ ।

ଦିଶେ ଏହି ସନ୍ଧ୍ୟାତାରା ପଶ୍ଚିମ ଆକାଶେ,

ସମ ଦୂରବର୍ତ୍ତୀ ତାହା ସ୍ୱବାସେ ପ୍ରବାସେ ।

 

ନୀରବେ ନିରେଖେଁ ମୁହିଁ ଯେ ତାରା କିରଣେ

ପଡ଼ିଥିବ ସେହି କର ମୋ ଗୃହପ୍ରାଙ୍ଗଣେ ।

ଆନନ୍ଦରେ ନାଚୁଥିବେ ଦାଣ୍ଡେ ଶିଶୁଗଣ,

ଆଣୁଥିବେ ଗୋପବୃନ୍ଦ ଗୋଗୋଷ୍ଠଁ ଗୋଧନ,

ବିଲକାମ ସାରି ଚାଷା ଫେରୁଥିବ ଘରେ,

ସନ୍ଧ୍ୟାଦୀପ ଜାଳୁଥିବେ ଘରଣୀଏ ଘରେ ।

 

ପାଠ ସାରି ପିଲାମାନେ ଦାଣ୍ଡେ ଗାଇ ଗୀତ

ଫେରୁଥିବେ ପାଠଶାଳୁଁ ହୋଇ ଆନନ୍ଦିତ,

ହାଟରୁ ହାଟୁଆମାନେ କଥା କହି କହି

ପିଠିରେ ଗଣ୍ଠିଲି ପଥ ଯାଉଥିବେ ବାହି ।

ନିତି ନିତି ଯାହା ଦେଖି ନ ଥିଲା ଆଦର,

ଆଜି କିମ୍ପା ଦୂରୁ ତାହା ଦିଶଇ ସୁନ୍ଦର ।

 

କି ଗଭୀର ପ୍ରହେଳିକା ମାନବ ଜୀବନ,

‘ଅଣ୍ଟିନୁନା ଭେଣ୍ଡି’ ଖାଣ୍ଟି ସତ୍ୟ ଏ ବଚନ ।

ଅତୀତ ଜୀବନ ଦୂରୁଁ ଦିଶଇ ସୁନ୍ଦର,

ଥିଲାବେଳେ ହାତେ ତହିଁ ନ ଥିଲା ଆଦର,

ଆଜି ଯାହା ଲାଗୁଅଛି ସାମାନ୍ୟ ନଗଣ୍ୟ,

ଭବିଷ୍ୟ ଜୀବନେ ତାହା ହୋଇପାରେ ଧନ୍ୟ ।

 

ଏହି ଯେ ସଉଧ ପୁରୀ ନଗରୀର ରାଣୀ,

ବିପଣୀ−ବୀଥିକା−ପୂର୍ଣ୍ଣ ବଙ୍ଗ ରାଜଧାନୀ,

ଖର ପ୍ରବାହିନୀ ଯାର ଜୀବନ ନାଟିକା,

ସଂସାରଚରଣେ ଯାର ମନପ୍ରାଣ ବିକ,

ଅଗଣ୍ୟ−ଅକ୍ଷୟ−ଧନରତ୍ନେ ସମନ୍ୱିତା,

ଜନସଂଘ−କଳ−ଯାନ−ବାହାନେ ପୂରିତା,

 

ନଭଶ୍ଚୁମ୍ୱୀ ସ୍ତମ୍ଭ ଧୂମରାଶି−ସମୁଦ୍‌ଗରୀ,

ଅଗଣନ ହର୍ମ୍ୟ ତୁଙ୍ଗ ଅମ୍ୱରସଂଚାରୀ ।

ନାନା ଦେଶୁଁ ସମାଗତ ବିବିଧ ମାନବ

ନାନା ସାଜସଜ୍ଜା ସୁବିଚିତ୍ର ନବ ନବ ।

ନାନା ଭାଷା−ଭାଷା ଏହି ମହାଜନସ୍ରୋତ

ଭାସଯାଏ ନେତ୍ର ଆଗେ ଚଞ୍ଚଳ ସତତ ।

 

ଘର୍ଘରି ଘୁରଇ ଚିକ୍ର ଉଦ୍‌ଗାରି ଅନଳ,

ଅହୋରାତ୍ର ହୁଏ ଯାହା ମୋର କର୍ଣ୍ଣଶୂଳ ।

ଏହିମାନେ ଭବିଷ୍ୟତେ ବିଚ୍ଛେଦସମୟେ

ପୂର୍ଣ୍ଣ ଗଉରବେ ପୁଣି ଉଇଁବେ ହୃଦୟେ

ପାଦେ ଠେଲିବାକୁ ଇଚ୍ଛା ହୁଏ ଏହିକ୍ଷଣି

ଝରିବ ଏହାଙ୍କୁ ପୁଣି ସୁଦୁଲର୍ଭ ମଣି !

 

ଗଭୀର ନିଗୂଢ଼ ଏହି ପ୍ରକୃତିଜୀବନ,

ପରିପୂର୍ଣ୍ଣ ଚିଦାନନ୍ଦ ଆତ୍ମା ସନାତନ,

ଓତଃପ୍ରୋତଃ ପୂର୍ଣ୍ଣ ଏହା ଅକ୍ଷୟଆନନ୍ଦେ

ଗାଏ ଏ ଆନନ୍ଦଗୀତି କି ସୁନ୍ଦର ଛନ୍ଦେ

ଅନ୍ୟ ଆହେ ଧନ୍ୟ ତବ ଦୟା ବିଶ୍ୱପିତି

କ୍ଷୁଦ୍ର ନରେ ଦେଇଅଛି ବୁଝିବା ଶକତି ।

 

 

ଅତଳ ଅଗାଧ ଏହି ପ୍ରକୃତିର ଶୋଭା

କବି ଭକ୍ତମାନଙ୍କର ଚିର ମନୋଲୋଭା,

ଧନ୍ୟ ହୁଏ ପ୍ରାଣ ପାଇ କଣିକା ତାହାର

ଦୈନନ୍ଦିନ ଜୀବନଟି କେମନ୍ତ କାହାର !

ପ୍ରକୃତିର ଶିଶୁ ଭୂଞ୍ଜେ ଯେ ଶୋଭାସମ୍ପଦ

ନଗଣ୍ୟ ତା ସଙ୍ଗେ ଧନରତ୍ନ ରାଜପଦ ।

 

ଜଡ଼ ତରୁଲତା ପଶୁପକ୍ଷୀ ନରନାରୀ

ସମସ୍ତେ ଏ ସମ୍ପଦର ସମ ଅଧିକାରୀ ।

ପଥେ ଚାଲିଯାଏ ଯେଉଁ ଦୀନ ଦୁଃଖିଜନ

କିଏ ରଖେ ତା ଜୀବନ−ସମ୍ୱାଦ ନଗଣ୍ୟ ?

ତୁଚ୍ଛ ବା ସାମାନ୍ୟ ତାକୁ ମଣିଲେ ହେଁ ଆନ

ଅଚି ତାହା ପ୍ରାଣେ ସୁଖ−ଅକ୍ଷୟ−ନିଧାନ,

 

ବିହାୟସେ ବିହଙ୍ଗମ ଉଡ଼ଇ ଆନନ୍ଦେ,

କି ସୁଖେ ଗାଉଛି ଗୀତ କି ମଧୁରଛନ୍ଦେ !

ପ୍ରକୃତିକୋଠଭଣ୍ଡାରେ ଅଛଇ ଯେ ଧନ,

ପ୍ରତ୍ୟେକେ ପାଆନ୍ତି ତାହା ନ ଦେଖଇ ଅନ୍ୟ ।

ତେଣୁ ସର୍ବେ ସ୍ୱଜୀବନେ ମହାର୍ଘ ମଣନ୍ତି,

ନିଜ ସୁଖ ଦେଖି ପର ସୁଖ ନ ଦେଖନ୍ତି ।

 

ମୋହ ପକ୍ଷେ ମୋ ଜୀବନ ଦୁର୍ଲଭ ଯେପରି,

ଆନ ପକ୍ଷେ ତା ଜୀବନ ସିନା ସେହିପରି ।

ମନେ ହୁଏ ମୋ ଜୀବନ ମହାଲକ୍ଷ୍ୟପୂର୍ଣ୍ଣ,

ଜଡ଼ ତାରା, ଅସ୍ତିତ୍ୱ ତା ଅବା ଲକ୍ଷ୍ୟ ଶୂନ୍ୟ ।

କିନ୍ତୁ ରେ ତାରକା ! ଅଛି ଉଦ୍ଦେଶ୍ୟ ତୋହର

ଏକସୂତ୍ରେ ବଦ୍ଧ ଲକ୍ଷ୍ୟ ଆମ୍ଭ ଦୁହିଁଙ୍କର

 

ସଂସାରର କ୍ଷୁଦ୍ର ନର ମୁଁ ଧୂଳିଲୁଣ୍ଠିତ,

ଆକାଶର ସନ୍ଧ୍ୟାତାରା ଉଚ୍ଚେ ସମୁଦିତ,

ଦୁହିଁଙ୍କୁ ଏକତ୍ର କରି କି ଶକ୍ତି ମହାନ

କରିଅଛି ଦୂର ଦେଶକାଳବ୍ୟବଧାନ ।

ଲକ୍ଷ କୋଟି ଯୁଗ ପୂର୍ବେ ଏ ତାରକା, ମୁହିଁ,

ଏକ ଦେହ ଏକ ପ୍ରାଣ ଥିଲୁ ଆମ୍ଭେ ଦୁଇ ।

 

ଏକ ପିଣ୍ଡ ଏକ ପ୍ରାଣ ହେଲା ଦ୍ୱିଖଣ୍ଡିତ,

ସ୍ୱକୁଟୁମ୍ୱ ପରସ୍ପର ପାଶୁଁ ଦୂରୀଭୂତ !

ତେଣୁ ରେ ତାରକା ! ତୋତେ ଦେଖି ମୁଗ୍‌ଧପ୍ରାଣ

ତୋର ମୋର ଲକ୍ଷ୍ୟ ଏକ ସମାନ ନିଦାନ ।

ତୁହି ଧନ୍ୟ ମମ ପ୍ରାଣ ଆନନ୍ଦ ବଢ଼ାଇ

ମୁହିଁ ଧନ୍ୟ ପ୍ରୀତି ନେତ୍ରେ ତୋତେ ରେ ଅନାଇ ।

 

ଆଜିର ମେଲାଣି

ଦିନ ଯାଉଛି ବୁଡ଼ି ଆସଇ ସଞ୍ଜ

ଭାନୁ−ଆନନେ ଚାହିଁ ବିବଶ କୁଞ୍ଜ

ବସା−ଗଛ−ଆଡ଼କୁ ଯନ୍ତି ବିହଙ୍ଗେ,

ପନ୍ତି ପନ୍ତି ବାନ୍ଧିଣ ବିବିଧ ରଙ୍ଗେ ।

ନୀଳ ଗଗନ ଦିଶେ କେଡ଼େ ନିର୍ମଳ,

ଉଡ଼ି ଯାଆନ୍ତି ତହିଁ ବିହଙ୍ଗଦଳ ।

ତୁଙ୍ଗନଭେ ବିହଙ୍ଗ ଏକେ ସୁନ୍ଦର,

ପନ୍ତି ବାନ୍ଧି ଯିବାରୁ ସୁନ୍ଦରତର

ଯେହ୍ନେ କବିତା ମନୋରମ ସ୍ୱଭାବେ,

ସୁନ୍ଦରତର କାବ୍ୟକଳା ପ୍ରଭାବେ ।

ଅସ୍ତ−ଉନ୍ନୁଖ−ରବି କିରଣଜାଳେ

ଶୋଭା−ସଂସାର ହେଲା ଉନ୍ମୁକ୍ତ ତାଳେ ।

ସରବ ପଶୁପକ୍ଷୀ ନର ସରବେ

ପୂର୍ଣ୍ଣ ଦିଗବିଦିଗ ବିବିଧ ରବେ ।

ଏ ରବ ଶେଷ କୋଳାହଳ ଦିନର,

ପ୍ରାଣ ଯେସନ ଶେଷେ ହୁଏ ପ୍ରଖର ।

 

ଆସଇ ବହି ମନ୍ଦ ମନ୍ଦ ପବନ,

ତରୁବଲ୍ଲରୀ କରି କରି କମ୍ପନ ।

ନୀଳ ଲୋହିତ ପୀତ ଶ୍ୱେତ ହରିତ

ଏ ଆଦି ବର୍ଣ୍ଣେ ବିହାୟସ ପୂରିତ ।

କେଡ଼େ ସୁନ୍ଦର କେଡ଼େ ବିଚିତ୍ର ଛବି !

ବର୍ଣ୍ଣ ପାରିବେ କି ତା ସହସ୍ର କବି ?

 

ସୃଷ୍ଟି−ଆଦ୍ୟରୁ କବି କବୀନ୍ଦ୍ର କେତେ,

ଶେଷ କଲେକି ଏହା ବର୍ଣ୍ଣଣ ଏତେ ?

କେଉଁ ତୁଳିକା ଧରି କେଉଁ ବିନ୍ଧାଣୀ,

କେସନ ଗଢ଼ିଲା କି ସାମଗ୍ରୀ ଆଣି ?

ରାଜରାଜେନ୍ଦ୍ର ଧନପତି ଧରାର

ତୋଳି ପାରିବ କିଏ ଶୋଭା−ସଂସାର ?

 

ଏହା ଆଦର୍ଶେ ସିନା ଧରା−ଧନେଶ

ବର୍ଣ୍ଣ ବିନ୍ୟାସି କରେ ବିଚିତ୍ର ବେଶ ।

ହରି କରୀ ନଗରୀ ତରୀ ବଲ୍ଲରୀ

ନାନା ଆକାରେ ଘନ ନଭେ ସଞ୍ଚରି

କେଉଁଆଡ଼େ ଯାଇଛି କି ଅଭିଯାନେ,

ଦେବତାଏ ଯାନ୍ତି କି ସୁରବି ମାନେ ?

 

ଚିର ତ ନୁହେଁ ଦିନ ଆସୁଛି ରାତି

ନିଭିବ ନେତ୍ରବିଭା, ପରାଣ−ଭାତି ।

ସ୍ଥିର ନୁହେଁ ଆଲୋକ, ଆସେ ଅନ୍ଧାର

ଦେଖି ନିଅ ହେ ପାନ୍ଥ ଶୋଭା−ସଂସାର ।

 

ଚାହୁଁ ଚାହୁଁ ଉଇଁଲେ ତାରା ଗଗନେ,

ହୀରାଫୁଲ କି ଆହା ସୁର−ପ୍ରାଙ୍ଗଣେ

ବଞ୍ଚି ପଡ଼ିଛି ଦେବକନ୍ୟା−ଅଞ୍ଚଳୁଁ

ପ୍ରଣୟୀ ପାଶେ ଦେବୀ ଚଞ୍ଚଳ ଚଳୁଁ ।

 

ଅବା ପ୍ରଣୟି−ଆଗମନ−ଆଶାରେ

ରତ୍ନ−ପ୍ରଦୀପ ଜାଳି ଦେଲା ସ୍ୱକରେ ?

କିବା ପ୍ରକୃତି ଦେବୀ ପଟ ମୋଚନେ

ଦିଶେ ଫଟନ୍ତା ଫୁଲ ନନ୍ଦନବନେ ?

 

କି ମନ୍ତ୍ର ଆସି ନିଶା କଲା ପଠନ,

ହେଲେ ମାନବଗଣ ହତ−ଚେତନା

ଦେହପିଞ୍ଜର ତେଜି ଅଜ୍ଞାତ ଲୋକେ,

ପ୍ରିୟ ପରିଜନଙ୍କୁ ଭସାଇ ଶୋକେ,

ଗଲା ପଥିକ ତେଜି ପାନ୍ଥନିବାସ,

ପଡ଼ିଛି ସେହି ଧରା ସେହି ଆକାଶ ।

ଢାଳିଣ ଲୋତକ କି ଶିଶିର ଛଳେ

ଚିର ମେଲାଣି ଘେନି ‘ଆଜିକ’ ଚଳେ ?

କେଡ଼େ ସୁନ୍ଦର ଏହି ବିଚିତ୍ର ଧରା

ତେଣୁ ଏଥିରୁ ମାୟା ନ ଛାଡ଼େ ପରା ?

ଯେ ଯାଏ “ସେହି” ପୁଣି ବାହୁଡ଼େ ପ୍ରାଣେ ?

ରୁକ୍ମିଣୀ−ରଥ ଫେରିବାର କେ ଜାଣେ ?

ସିନ୍ଧୁରେ ବିନ୍ଦୁ ଯାଇଁ ଯେବେ ମିଶିବ,

ପୁଣି ସେ “ବିନ୍ଦୁ” କି ପ୍ରକାରେ ଫେରିବ ?

ଏସନ ଦିନେ ମୁହଁ ଯିବି ତ ଚାଲି,

ଏ ଧରା ଏ ଆକାଶ ରହିବ ଖାଲି ।

କେଉଁ ଦେଶେ ସେ, କେତେ ଦୂର, କିପରି ?

ଦୁଃଖ−ସୁଖେ ସୁନ୍ଦର ଏ ଧରା ପରି ?

କିଏ ଅଛ ହେ ତୁମ୍ଭେ ଅଜ୍ଞାତ ପୁରେ

ଆଶ୍ରୟ ଦେବ କି ହେ ଏ ପାନ୍ଥେ ଦୂରେ ?

 

ତାରକା

ମେଘମୁକ୍ତ ସୁନିର୍ମଳ ନିଦାଘ–ଗଗନ,

ଉଜ୍ଜ୍ୱଳ ଚନ୍ଦ୍ରମା ତହିଁ ଦିଶେ ସୁଶୋଭନ ।

ଇନ୍ଦ୍ରନୀଳମଣି ମଧ୍ୟେ ଜଡ଼ିତ ଯେସନ

ଦୂର ନଭେ ହୀରଖଣ୍ଡ ସମ କି ଶୋଭନ ।

 

ମହୀର ମାନବଶିଶୁ ନିରେଖ ନୟନେ

ଉଜ୍ଜ୍ୱଳ ବିଶାଳ ଏହି ନିର୍ମଳଗଗନେ

କି ଗୌରବମୟ ଏହି ବିଶାଳ ସାମ୍ରାଜ୍ୟ !

ବିସ୍ମିତ ହୃଦୟେ ଚାହିଁ ପୂଜ ବିଶ୍ୱରାଜ ।

 

ପ୍ରତ୍ୟେକ ଇନ୍ଦ୍ରିୟରନ୍ଧ୍ରେ ନ କରେ ପ୍ରଚାର

ଆଶ୍ଚର୍ଯ୍ୟମହିମା ସର୍ବଶକ୍ତିମୟଙ୍କର !

ଦେଖୁନାହିଁ କି ହେ ତଥି ଉଜ୍ଜ୍ୱଳ ଅକ୍ଷରେ

ସର୍ବଶକ୍ତମୟ ନାମ ଖୋଦିତ ବକ୍ଷରେ !

 

 

ଅକ୍ଷୟ ଆଲୋକ ଏହି ଦୀପ ଅପ୍ରମିତ

ଯାମିନୀର ଛାୟାକୁ ଯା କରେ ପ୍ରଭାନ୍ୱିତ !

କର ନିରୀକ୍ଷଣ, କହ କେଉଁ ଗର୍ବିଜନ

ଏ ଜ୍ୟୋତିଷ୍କଜାଳେ କରିପାରିବ ଗଣନ ?

 

ଦେଖ ଏ ପ୍ରତ୍ୟେକ ତାରା ଯାହାର କିରଣ

ବହୁଦୂରୁଁ ସୁଗୌରବେ କର ସନ୍ଦର୍ଶନ,

ବିଶାଳ ଜଗତ ବିଶ୍ୱରାଜ−ସୁପାଳିତ

ଅନାଦି ଅନନ୍ତକାଳୁଁ ଯେହୁ ବିରାଜିତ ।

 

ମହୀ ଆଲେକିବା ପାଇଁ ନୁହେଁ ତା ଶୟଳ

ପ୍ରତ୍ୟେକର ଅଛି ଏକ ଗ୍ରହର ମଣ୍ଡଳ ।

କେତେ ପ୍ରାଣୀ ଯାହାଙ୍କର ଅସ୍ତିତ୍ୱ−ଆଧାର,

ଅଟନ୍ତି ସେ ରାଜ−ରାଜ ବିଶ୍ୱ−ମୂଳାଧାର ।

 

ସେ ଗୌରବମୟ ପ୍ରାଣୀ ନ ଜାଣନ୍ତି ପରା

ପାତକ−କାଳିମା କିବା ବିଷାଦାଶ୍ରୁଧାରା,

କିନ୍ତୁ ନିରନ୍ତର ଗାଇ ଉକତି−ସଙ୍ଗୀତ

ବିଭୁପ୍ରେମେ ମତ୍ତ ହୋଇ ସଦା ତୁଷ୍ଟ ଚିତ୍ତ ।

 

ହେ ଧୂଳିର ଶିଶୁ ! କହ ବିଶାଳ ବ୍ରହାମାଣ୍ଡେ

କିଏ ତୁହି, କେଡ଼େ କ୍ଷୁଦ୍ର ବିଶ୍ୱବଡ଼ଦାଣ୍ଡେ !

ପ୍ରଭଞ୍ଜନ ମଧ୍ୟେ କ୍ଷୁଦ୍ର ପତଙ୍ଗମ; ସିନ୍ଧୁ

ବିଶାଳ ବିସ୍ତୃତି ମଧ୍ୟେ ନୀହାରିକା ବିନ୍ଦୁ ।

 

ତଥାପି ହେ ନୁହ ଭୀତ, ସେହି ମହାଶକ୍ତି

ସୃଷ୍ଟି ଯାର ମହାସିନ୍ଧୁ, ବିଶାଳ ଧରିତ୍ରୀ

ଶୂନ୍ୟେ ଯା ଜ୍ୟୋତିଷ୍କଗଣେ କଲା ଭ୍ରାମ୍ୟମାଣ

ସେହି ପୁଣି ତୁମ୍ଭ ପିତା ପ୍ରେମମୟପ୍ରାଣ ।

 

୧୦

ଶାନ୍ତ ହୁଅ, ସର୍ବଦଶୀ ସେ ଦିବ୍ୟ ନୟନ

ବ୍ୟାପ୍ତ ଯାହା ମହୀ, ବାୟୁମଣ୍ଡଳ, ଗଗନ,

ଯେ ଦୃଷ୍ଟିକି କେହି ଏଡ଼ି ମ ପାରେ କେବେହେଁ,

ବିନ୍ୟସ୍ତ ସେ ତବୋପରି ସତତ ସସ୍ନେହେ ।

 

ସୂର୍ଯ୍ୟମୁଖୀ ଫୁଲ

 

ଦୁଆର ଆଗରେ            ଲଗା ହୋଇଥିଲା

ସୂର୍ଯ୍ୟମୁଖୀ ଗଛଟିଏ,

ଯଥାକାଳେ ଗଛେ            ଫୁଟନ୍ତେ କୁସୁମ

ଦେଖନ୍ତି ଆସି ସଭିଏଁ ।

 

ପତ୍ରଉହାଡ଼ରୁ            ସୂର୍ଯ୍ୟମୁଖୀ ଫୁଲ

କେମନ୍ତ ସୁନ୍ଦର ଦିଶେ,

କଳାମେଘକୋଳେ                  ଖେଳି ହସୁଅଛି

ସ୍ଥିର ସୌଦାମିନୀ କି ସେ ?

 

କେତେ ଦୂରେ ସେହି            ସବିତା ଦେବତା

ସୂର୍ଯ୍ୟମୁଖୀ କେତେ ଦୂରେ !

ପ୍ରେମପୂର୍ଣ୍ଣ ନେତ୍ରେ                   ଅନାଇ ରହିଛି

ସେହି ପୂର୍ବାଭିମୁଖରେ ।

 

କୋଟିଏ ଯୋଜନ                  ହେଲେହେଁ ଦୂରତା

ପ୍ରେମ ପାଶୁଁ କେ ବାହାର ?

ଚନ୍ଦ୍ର−କୁମୁଦିନୀ            ସୂର୍ଯ୍ୟ−ସୁର୍ଯ୍ୟମୁଖୀ

ଯେ ଯାହାର ସେ ତାହାର ।

 

ଗଣ୍ଠି ଗଣ୍ଠି ଗଛେ            ଫୁଟିଅଛି ଫୁଲ

ପୁଷ୍ପଭାରେ ଅବନତ,

ଧନଭାରେ ଧନୀ            ଜ୍ଞାନଭାରେ ଜ୍ଞାନୀ

ବିନୟେ ଏସନ ନତ ।

 

ବହନ୍ତେ ପବନ            ହୋଇ ଛନ ଛନ

ନଇଁପଡ଼େ ସୂର୍ଯ୍ୟମୁଖୀ,

ପୁରୁଷ ପରଶେ            ଲଜ୍ଜାର ଆବେଶେ

କାତର କିବା ସୁମୁଖୀ ।

 

ପାଗଳ ପବନ            ତନୁ ଅପଘନ

ଏଣେ ତେଣେ ଦୋହଳାଏ,

“ନାହିଁ ନାହିଁ ଦୂରେ            ଯା ଯା ରେ” ବୋଲିଣ

ଫୁଲ କି ମୁହିଁ ହଳାଏ !

 

ତୁହାଇ ତୁହାଇ            ବରଷଇ ଘନ

ନୀରପାତେ ସୂର୍ଯ୍ୟମୁଖୀ

ବିଚ୍ଛେଦ କାତର            ଲଜ୍ଜାତରତର

ମେଘ ଦେଖି ହୁଏ ଦୁଃଖୀ ।

 

ଟପ ଟପ ସ୍ୱନ            ମନ୍ଦ୍ର ଗରଜନ

ପବନଗହଣେ ନୀର

ଝର ଝର ଝରି            ଫୁଲ ଦେହେ ପଡ଼ି

ଧନୀକୁ କରେ ଅସ୍ଥିର ।

 

ନୀରକୁ ନିରେଖି            ବୋଲେ ସୂର୍ଯ୍ୟମୁଖୀ

“ମୋର ସଙ୍ଗେ କିପାଁ ବାଦ ?”

କହେ ନୀର “ବାଦ            ନୁହେଁ ଯୋଗ୍ୟଦଣ୍ଡ,

କଲୁ ଯେଣୁ ଅପରାଧ,

 

ହ୍ରଦ ପୁଷ୍କରୀଣୀ             ନିମ୍ନଗା ନୀରଧି

ଅଙ୍ଗ ଶୋଭୁଥିଲ କାଳେ,

ପୋଡ଼ି ଜଳ ବାଷ୍ପ      ରୂପେ ଉଡ଼ିଗଲି

ତପନକିରଣଜାଳେ ।

 

ଯେ ମୋହର ଏତେ            ଦଶା ଘଟାଇଲା,

ସେହି ପୁଣି ପ୍ରିୟ ତୋର,

ମୋର ଧନେ ବଢ଼ି            ମୋ ଶତ୍ରୁସୁହାଗୀ

ଛି ଛି କୃତଘ୍ନତା ଘୋର ।”

 

କହେ ସୂର୍ଯ୍ୟମୁଖୀ            “ବିଧାତାବିଧାନେ

ନ ବୁଝି ଦେଉଛୁ ଗାଳି,

କେମନ୍ତେ ବଞ୍ଚନ୍ତା            ଜଗତଜନତା

ଜୀବନ ନ ଦେଲେ ଢାଳି ?”

 

କେଡ଼େ ଶୋଭାବତୀ      ଫୁଲ ସୂର୍ଯ୍ୟମୁଖୀ

ଜନମନନେତ୍ର ମୋହେ,

କେମନ୍ତ ସୁନ୍ଦର ତୋରା            ଗୋରା ଦେହ

ଅଙ୍ଗନ−ଅଙ୍ଗରେ ଶୋହେ ।

 

କି ହେଲା କି ହେଲା            ଫୁଲର ପାଖୁଡ଼ା

ଗୋଟି ଗୋଟି କରି ଝଡ଼େ,

ମହାପ୍ରସ୍ଥାନରେ            ପାଞ୍ଚାଳୀ ପରାଏ

ଭ୍ରଷ୍ଟ ହୋଇ ତଳେ ପଡ଼େ ।

 

ଉପର ଫୁଲର            ଦେଖିଣ ଏ ଦଶା

ମଝିଫୁଲ କହେ ହସି,

ଗରବ ସୁହାଗେ            ଫୁଲି ଉଠୁଥିଲା

ତଳେ କିପାଁ ପଡ଼ୁ ଖସି ?

 

 

ଫୁଟୁ ଫୁଟ ହୋଇ            କହେ କଢ଼ି ଗର୍ବେ

“ତୋର ଦିନ କାଳ ଆସେ”

କୁଆଟିଏ ଉଡ଼ି            ରାବି କହିଗଲା

“କିବା ଚିର ଧରାବାସେ ?”

 

ବର୍ଷାସ୍ମୃତି

 

ଆସ ଆସ ବରଷାରେ ସ୍ୱରଗର ସୁଧାରାଶି

ତୋ ପାଇଁ ବରଷା ଅଛି ଚାତକ ପକ୍ଷୀ ପିଆସୀ ।

ଢାଳ ଢାଳ ବରଷା ରେ ଶୂନ୍ୟରୁ ଅମୃତଧାରା,

ତୋତେ ଦେଖି ଘନବନେ ନାଚନ୍ତି ମୟୂରପାରା ।

ଆଣ ଆଣ ବରଷା ରେ ବିସ୍ମତଭାବନା ମନେ,

ନିରେଖନ୍ତି ନେତ୍ରେ ତୋତେ କୃଷ୍ଣ କି ନିକୁଞ୍ଜବନେ ?

ସିଞ୍ଚି ଦିଅ ବରଷା ରେ ପତ୍ରଫୁଲେ ଶୀତ ଜଳ,

ତରୁଲତା ପାଉନ୍ତୁ ରେ ପରଶେ ଆନନ୍ଦ ବଳ ।

ଧୋଇ ଦିଅ ବରଷାରେ ନବନୀରେ ମହୀଦେହେ,

ମହୀରୁ ଜାନକୀ−ଲକ୍ଷ୍ମୀ ଉଠିବେ ଅତି ସେନେହେ ।

ଉଡ଼ି ଯାଇଛି କୋକିଳ ତୋତେ ଦେଖି ବରଷାରେ

ଉପବାସୀ ଚାତକର ଶୁଷ୍କ କଣ୍ଠ ତୁଋଷାରେ ।

ଗଡ଼ି ପଡ଼ୁ ମଥାନରୁ ରକ୍ତ−କାନ୍ତ ଧାରା ବାରି,

ହୀରାପରି ଫୁଟୁ ଫୁଲ ଓଳି ତଳେ ଧାରି ଧାରି ।

ତୋ ଦୟାରେ ବରଷା ରେ ବିଟପୀ ଉଠେ ବିକଶି,

ତୋ ଜଳ ପାଇଲେ କେତେ ଲତା ଧରେ ଫୁଲକସି,

ସଖାସହ ଗୋପୀନାଥ ବୁଲୁଥିଲେ କୁଞ୍ଜବନେ,

ଗହନ କାଳିନ୍ଦୀକୂଳେ ବର୍ଷଲୁ ଝର୍ଝର ସ୍ୱନେ ।

ସପତ ଦିନ ଗୋପରେ ବରଷି ଥିଲୁ ଦ୍ୱାପରେ

ଧରିଥିଲେ ନରହରି ଗୋବର୍ଦ୍ଧନ ଗିରିବରେ ।

 

ସାଗରୁଁ ନେଇଣ ନୀର ସୂର୍ଯ୍ୟ କରନ୍ତି ତୋ ସୃଷ୍ଟି

ଅନନ୍ତ କାଳୁଁ ବରଷା କରୁଛୁ ଏପରି ବୃଷ୍ଟି ।

ତୁ ଆସନ୍ତେ ଦୁର୍ବାଦଳେ ପିନ୍ଧିଣ ଲୋହିତ ଶାଢ଼ୀ

ସାଧବାଣୀ ବୋହୂମାନେ ବସନ୍ତି ଧାଡ଼ିକି ଧାଡ଼ି ।

 

କେଉଁ ଦେଶୁଁ ବରଷାରେ ଦଉଡ଼ି ଆସିଲୁ ତୁହି ।

ଝର ଝର ସ୍ୱରେ ତୋର ଚିରକାଳ କିଣା ମୁହିଁ ।

ବରଷି ତୁ ଛାଡ଼ିଗଲେ ଆନନ୍ଦ ଯାଏ ବରଷା !

ନିତ୍ୟାନନ୍ଦ ପାଇବଇଁ କି ଉପାୟ କି ଭରସା ?

 

ଛାଡ଼ିଗଲେ ବରଷା ତୁ ଗୀତେ ନ ରହେ ଆନନ୍ଦ

ଭଜନ କରି କି ନାମ ପାଇବଇଁ ନିତ୍ୟାନନ୍ଦ ।

ହେମନ୍ତ ବସନ୍ତ ବର୍ଷା ଅଟ ତୁମ୍ଭେ ଛଅ ଭାଇ

ନାଚୁଅଛି ଚିରକାଳ ଅନନ୍ତ ଭଜନ ଗାଇ ।

 

 

ଥାଉ ବର୍ଷା ସବୁଦିନେ ପୃଥିବୀରେ ଠାଇଁ ଠାଇଁ

ମିଛଟାରେ ଭାଳୁଥାଏଁ ନନ୍ଦ ଯେହ୍ନେ କୃଷ୍ଣ ପାଇଁ ।

ତୋତେ ଦେଖି ବରଷା ରେ ନାଚି ଉଠେ ମୋର ଚିତ୍ତ

କଣ୍ଠେ ବସି ସରସ୍ୱତୀ ଗାଉଥାନ୍ତି କେତେ ଗୀତ ।

 

ମୁକ୍ତାନିନ୍ଦି ଜଳବିନ୍ଦୁ ଖସିପଡ଼େ ଗଗନରୁ

ସୁଶୀଳା ଦୁଳାଳୀମାନେ ଦେଖୁଥାନ୍ତି ତାହା ଘରୁ ।

 

ବର୍ଷା−ଚିନ୍ତା

 

ନିବିଡ଼ ପ୍ରାବୃଟେ            ଗମ୍ଭୀର ନିଶୀଥେ

ଘୋଟଇ ଗଗନେ ଘନ,

ଦକ୍ଷିଣାଶା ତଟୁଁ            ବହଇ ହିଲ୍ଲୋଳ

ତରୁପତ୍ର ବିକମ୍ପନ ।

ଚାହୁଁ ଚାହୁଁ ଘନ            ଟପ ଟପ ସ୍ୱନେ

ଚଉଦିଗେ ପଡ଼େ ତଳେ

ସୁପ୍ତ ଜନ ପ୍ରାଣୀ,            ଫେଡ଼ିଣ ଗବାକ୍ଷ

ଭାବିଲଇଁ ସୁନିଶ୍ଚଳେ ।

ଚମକେ ଦାମିନୀ            ଭେଦି ଧ୍ୱାନ୍ତ−ଦେହ,

କୁଳଶେ ଦିଗ ସ୍ପନ୍ଦିତ,

ଝର୍ଝର ଝରଇ            ଘନ−ନୀର−ଧାରା

କୁକୁଭ ପ୍ରତିଧ୍ୱନିତ ।

ସଦା ଦିନେ ମୁଁ            ଯେ ବରଷାର ରଙ୍କ

ମେଘ ଦେଖି ଫେଡ଼େ ମନ,

ଝର୍ଝରଶବଦ            ତିରୋହିତ ହେଲେ

ବିଷଣ୍ଣ ହୁଏ ମୋ ମନ ।

 

ନିରେଖି ନିବିଡ଼−            ନିଶୀଥଗଗନ

ଭାବମଗ୍ନ ହେଲା ଚିତ୍ତ,

ଅସଂଖ୍ୟ ଅତୀତ            ଘଟନା ହୃଦୟ

ଅନମ୍ୱରେ ସମୁଦିତ ।

 

ମନେ ପଡ଼େ ସେହି            ବୈଦିକ ଯୁଗର

ଶାନ୍ତି ରସାସ୍ପଦ ବନ,

ବଟଚ୍ଛାୟା ତଳେ            ପର୍ଣ୍ଣକୁଟୀ ମଧ୍ୟେ

ଋଷିପତ୍ନୀ କନ୍ୟାନନ ।

 

ଶାନ୍ତ ତପୋବନ            ସାନ୍ଦ୍ର ତରୁ ଲତା

ରୁଚିର ପୂର୍ଣ୍ଣକୁଟୀର,

ଋଷି−ପରିଜନ            ସରଳ−ପରାଣ

ପ୍ରଶାନ୍ତ ପ୍ରଫୁଲ୍ଲ ଧୀର !

 

ପୂତ ହୋମ−ବହ୍ନି            ଗମ୍ଭୀର ପ୍ରଣବ

ବେଦମନ୍ତ୍ର ଉଚ୍ଚ ପୂତ;

ତପୋବନେ ସନ୍ଧ୍ୟା            ବିହଙ୍ଗମପନ୍ତି

ନୀଳାକାଶେ କଳରୁତ ।

 

କରୁଣ−ନୟନ            ଏଣ−ଏଣୀଗଣ,

ଦିନାନ୍ତେ ଗୋଷ୍ଠୁଁ ଆନୀତ,

ହୋମ−ଧେନୁ−ଦୁଗ୍‌ଧ      ଋଷିଦୁହିତାଙ୍କ

ବରାଙ୍ଗୁଳି−ଆର୍କର୍ଷିତ ।

 

ହୋମ−ବହ୍ନି−ଧୂମ            ଗମ୍ଭୀର ପ୍ରଣବ

ସାନ୍ଧ୍ୟବାତ−ସଞ୍ଚାଳିତ

ଆଶ୍ରମ−ପଦର            ସାନ୍ଦ୍ର−ଲତା−ଦ୍ରୁମ

ସ୍ୱର୍ଗେ ହିଏ ସମୁତ୍‌ଥ ।

 

ସ୍ମରଣ ହୁଅଇ            ଶିବଗତପ୍ରାଣ

ପ୍ରତ୍ୟାଖ୍ୟାତା ଗିରିସୁତା,

ଘୋର ପ୍ରାବୃଷେଣ୍ୟ      ତପସ୍ୟାନିମଗ୍ନ ।

ପିନାକି−ପ୍ରଣୟ−ଯୁତା !

 

ନଳ−ଦତ୍ତ−ଚିତ୍ତା            ସତୀ ଦମୟନ୍ତୀ

ନିବିଡ଼ ନିର୍ଜନ ବନେ,

ପ୍ରିୟତମେ ତରୁ            ଲତା−ଅନ୍ତରାଳେ

ଲୋଡ଼ନ୍ତି ଆକୁଳମନେ ।

 

 

ମନେ ପଡ଼େ ଯେବେ      କିସ୍କିନ୍ଧ୍ୟା−କାନନେ

ତେଜିଣ ଅଯୋଧ୍ୟାଧାମ,

ଘୋର ପ୍ରାବୃଟରେ            ଝୁରି ବୁଲୁଥିଲେ

ବୈଦେହୀବିରହେ ରାମ ।

 

“ଦଣ୍ଡକା ଅରଣ୍ୟେ            ରାଜ୍ୟଭ୍ରଷ୍ଟା ଦୀନ

ଅନୁଧାବନକାରିଣୀ

ବନବାସ ବନ୍ଧୁ            ସୁତନୁ ମଧ୍ୟମା

କାହାନ୍ତି ପ୍ରାଣସଙ୍ଗୀନୀ ?”

 

ଅଶୋକ ବିପିନେ            ମହାସତୀ ସୀତା

“ରାମ” ନାମ ଜପ କରି,

ରକ୍ଷସୀବେଷ୍ଟିତା            ଯାପୁଥିଲେ ଯେବେ

ସୁଦୀର୍ଘ ଘୋର ଶର୍ବରୀ ।

 

ଆବର ବାଲ୍ମୀକି            ତପୋବନେ ଦିନେ

ଦାରୁଣତର ଯାତନା ।

ଅବସାଦ ଘନ            ତମସେ ଆବୃତ

ପୂର୍ଣ୍ଣଚନ୍ଦ୍ର ନିଭାନନା ।

 

 

ନୀଲାବ୍‌ଜ ନୟନୁଁ            ଝରି ବାରିଧାରା

ବକ୍ଷ ଯାଉଥିଲା ତିନ୍ତି,

ବିସୋରୁ ଥିଲେ ସେ      ଆପଣା ଅସ୍ତିତ୍ୱ

ପ୍ରାଣେସ−ପ୍ରମାଦ ଚିନ୍ତି ।

 

ଅଚ୍ଛୋଦ−ସରସୀ            ତଟେ ମନେ ପଡ଼େ

ମହାଶ୍ୱେତା ରାଜସୁତା,

ଝୁରି ଝୁରି ପ୍ରିୟ            ତମ ପୁଣ୍ଡରୀକ

ଶୋକେ ଘୋର ଅଭିଭୂତା ।

 

ଅଶରୀରୀ−ବାଣୀ−            ଶ୍ରବଣେ ପୋଷଇ

ପ୍ରିୟ−ପାପ୍ତି ଆଶା ଚିତ୍ତେ,

ଦିନ ପରେ ଦିନ            ମାସ ପରେ ମାସ

ବର୍ଷ ପରେ ବର୍ଷ ବିତେ ।

 

ମନେ ପଡ଼େ ମୋର      ମୃତଚନ୍ଦ୍ରାପୀଡ଼−

ମସ୍ତକ ରଖିଣ କୋଳେ,

ଚାହିଁ ଚାହିଁ ନେତ୍ରୁଁ            ମୁଞ୍ଚନ୍ତି ଲୋତକ

କାଦମ୍ୱରୀ ପ୍ରେମଭୋଳେ ।

 

 

ମନେ ପଡ଼େ ମୃତା            ପ୍ରସୂନ−ପରଶେ

ଇନ୍ଦୁମତୀ ସୁକୁମାରୀ,

ଝୁରି ଝୁରି ଅଜ            ହୁଅନ୍ତି ବିକଳ

ନେତ୍ରଁ ବହିଯାଏ ବାରି ।

 

ଦିନେ ଅଗଣନ            ନୃପତିଙ୍କୁ ହେଳି

ସେ ମହୀମଣ୍ଡନା ବାଳା,

ବୋଳିଦେଲା ପ୍ରାୟେ      ଗୋଳିଚନ୍ଦନକୁ

ମଙ୍ଗଳ−ବରଣ−ମାଳା,

 

ପ୍ରେମସୁଧାସିକ୍ତ            ଲମ୍ୱାଇ ଗଳାରେ

ଆନତଆନନେ ଉଭା,

ଚାହିଁ ମୁଗ୍‌ଧନେତେର      ନିଷଧଜେମାଙ୍କୁ

ଦୁଗ୍‌ଧ ହେଲେ ଅଜ ଯୁବା ।

 

ସେହି ଏକଦିନ            ଏହି ଏକଦିନ

କି ଦାରୁଣ ଭେଦ ଆହା,

କିପାଁ ବା ନୋହିବ            ଶାଶ୍ୱତ ବିଧାନ

ମିଳନ ବିଚ୍ଛେଦ−ସାହା ।

 

 

ଏହା ଜାଣିଶୁଣି            କିପାଇଁ ମାନବ

ହୁଅଇ ସଂସାର−ଦାସ,

ଦେଖି ନ ଦେଖିଲା            ପ୍ରାୟେ ଦୁଗ୍‌ଧ ପ୍ରାଣୀ

ପିନ୍ଧେ କଣ୍ଠେ ମୋହ−ପାଶ ।

 

ଅସାର ମଧ୍ୟରେ            ସାର ସତ୍ୟ ଯାହା

ନ ବୁଝିଣ କିପାଁ ଜନେ

ପ୍ରିୟ−ବିୟୋଗରେ            ବିଫଳ ଆଶାରେ

ଶୋକଯୁକ୍ତ ଅକାରଣେ ।

 

ବିକାର ମଧ୍ୟରେ            ନିର୍ବିକାର ତତ୍ତ୍ୱ

ପରିବର୍ତ୍ତେ ଅଗଣନ,

ସ୍ଥିର ଧୀର ଯାହା            ଅଟଳ ଅଚଳ

ଏକ ବିଭୂ ସନାତନ ।

 

ଜୀବନେ ମରଣେ            ଇହ ପରକାଳେ

ଦୁଃଖେ ସୁଖେ ସୁସମାନ,

ମିଳନେ ବିଚ୍ଛେଦେ            ଶକ୍ତି ଦିଅ ମୋତେ

ଆହେ ପ୍ରଭୁ ଭଗବାନ !

 

ଶାନ୍ତିବାରି

 

ଶୁଖି ଯାଇଥିଲା ପରାଣୁଁ ପ୍ରେମ−ଅମୃତଧାରା,

ଶୁଷ୍କ ମରୂସମ ଲାଗିଲା ମୋତେ ସଂସାର ସାରା ।

ଅରଣ୍ୟର ଶୁଷ୍କ ପାଦପ ପ୍ରାୟେ ରହିଲି ପଡ଼ି,

ପର୍ଯ୍ୟୂ ସିତ ପଦ୍ମ ପରାଏ ଶାନ୍ତି ପଡ଼ିଲା ଝଡ଼ି ।

 

ଲିଭି ଯାଉଥିବା ପ୍ରଦୀପ ପରି ତୋଜୋବିହୀନ

ଦିନମଣି ହୀନ ଦିବସ ସମ ଗଲା ମୋ ଦିନ ।

ଶିଶିର−ନିପାତେ ଦୁଗ୍‌ଧ ଯେହ୍ନେ କମଳ−ବନ

ଶାନ୍ତିହୀନ ହେଲା ତେସନ ମମ ପରାଣ ମନ ।

 

ଦାରୁଣ ନିଦାଘ−ଉତ୍ତାପେ ଯେହ୍ନେ ମହୀ କାତର,

ଅଶାନ୍ତି−ତାପରେ ତେସନ ଦୁଗ୍‌ଧ ଚିତ୍ତ ମୋହର,

ରହିଥିଲେ ପ୍ରଭୁ ଅନାଇ ମୁହିଁ ଚାତକ ପରି,

ଢ଼ାଳିଦେଲ ସ୍ୱାମି ମୋ ପ୍ରାଣେ ଶାନ୍ତି−ବାରିଦ−ବାରି ।

 

ଦେବକନ୍ୟା ଦେବତନୟ ପେଷିଦେଲେ ମୋ ପାଶେ

ଶାନ୍ତିସୁଖ ଭୁଞ୍ଜେ ରହିଣ ମୁହିଁ ତାଙ୍କର ସକାଶେ ।

 

ମନବୋଧ

 

କାହିଁକି ମନ ଆରେ ହୋଇଛୁ ଦୁଃଖୀ

କିଏ ଏହି ସଂସାରେ ଷୋଳଣା ସୁଖୀ ?

କାହାରି ମୁଖେ କେହି ଅନାଇ ନାହିଁ

କା’ଲାଗି ଭାବୁ ମନ ଦୁଃଖ କିପାଇଁ ?

ଖଟି ଦିବସ ରାତ୍ରି କର କରମ

ଖଟିବା ସିନା ମାନବର ଧରମ ।

ଖେଳ ନୁହଇ ମାନବର ଜୀବନ ।

ଖଣ୍ଡା ଧାରରେ ଚଲା ରୀତି ଏ ମନ ।

ଗୃହସଂସାର ଅଟେ ସାଧନା କ୍ଷେତ୍ର

ଗମ ନିର୍ଲିପ୍ତଭାବେ ଫେଡ଼ିଣ ନେତ୍ର,

ଗିରି ଉପରଦେଶେ ଚଢ଼ିବୁ ଯେତେ

ଗରିବ ଗିରି ଶୃଙ୍ଗ ଉଚ୍ଚକୁ ତେତେ ।

ଘୋର ଜୀବନକ୍ଷୁଦ୍ଧ ଯୁଝରେ ଘୋର

ଘେରି ଅଛନ୍ତି ଦେଖ ଅଇରି ତୋର ।

ଘନ ଗହନ ପଥ ଏକକୀ ପାନ୍ଥ

ଘର ବହୁତ ଦୂର ଜାଣ ଏକାନ୍ତ ।

 

ନବ ନବ ଦିବସେ ନୂତନ କର୍ମ

ନ ରଖିଣ ଆଳସ୍ୟ ସାଧିବ ଧର୍ମ ।

ନିର୍ଲିପ୍ତ ଜୀବନରେ ନିଷ୍କାମ ମନ,

ନିତ୍ୟ ଶ୍ରୀହରିକାର୍ଯ୍ୟ ସାଧନ ।

 

ଚର୍ମ ବେଢ଼ିଛି ସିନା ଚଉପାଶର,

ଚିରି ଭିତରେ ଦେଖ କି ନାରଖାର ।

ଚକ୍ରନେମି କ୍ରମରେ ଏ ଜଗତରେ,

ଚଳଇ ଭାଗ୍ୟ ତଳେ ପୁଣି ଉପରେ ।

 

ଛପି ଛପିକା କାଳ ସଙ୍ଗେ ଚଳଇ

ଛାଡ଼ିଲେ ସତ୍ୟପଥ ମାଡ଼ି ବସଇ ।

ଛାଡ଼ିଯିବ ଜୀବନ ବୁଡିବ ଭେଳା

ଛିଣ୍ଡିଯିବ ସଂପର୍କ ସବୁ ସେ ବେଳା ।

 

ଜଗଜ୍ଜୀବନ ପଦେ ପଶ ଶରଣ,

ଜିଣିବୁ କାଳେ ତୁହି ନିତ୍ୟ ଜୀବନ ।

ଜଗନ୍ନାଥଶରଣ ପଶିବୁ ଯେବେ,

ଜିଣି ଷଡ଼ ଅଇରି ତରିବୁ ତେବେ ।

 

ଝୀନ−ପତନ ଅଙ୍ଗେ ପାଉଛି ଶୋଭା,

ଝଟକେ ତୋରା ତନୁ କି ମନୋଲୋଭା ।

ଝାଡ଼ ଜଙ୍ଗଲ ଭ୍ରମି ଅରଜ ଧନ

ଝଟକ ବିଦୁ ପରି ଯିବ ଜୀବନ ।

 

ନିନ୍ଦନୀୟ କରମ କରିବୁ ଯେବେ,

ନଗଣ୍ୟ ଜୀବନକୁ ଲଭିବୁ ତେବେ ।

ନ କଲେ ପାପପଥେ କେବେ ଗମନ

ନ ହେବ କେବେ ତୋର ଅଧଃପତନ ।

 

ଟେକିଲେ ଦୁବ ପ୍ରଭୁ କରନ୍ତି ଦାରୁ,

ଟାଣ ଗର୍ବୀ ଲୋକର ଭାଙ୍ଗନ୍ତି ମେରୁ ।

ଟିକିକ କର୍ମ ନିଷ୍ଠାସହ କରିବୁ ।

ଟପି ପର୍ବତ ତେବେ ଡେଇଁ ପାରିବୁ,

 

ଠଣ ସୁନ୍ଦର ପ୍ରଭୁ କେଡ଼େ ପବିତ୍ର

ଠିକେ ତାହାଙ୍କ ସୃଷ୍ଟି ବଡ଼ ବିଚିତ୍ର ।

ଠୁଳ ଏ ଜଗତରେ କେତେ ସୁଷମା,

ଠାବରେ ଠାବେ ଝରୁଛି କି ମଧୁରିମା ।

 

ଶୈଶବ ସ୍ମୃତି

 

ମନେ ପଡ଼େ ଏତେ କିପାଁ ଶୈଶବଜୀବନ,

ଅତୀତ ଗହ୍ୱରେ ଲୀନ, ନାହିଁ ଯାର ଚିହ୍ନ ?

ମନେ ପଡ଼େ ମୋର ସେହି ଘର ଦ୍ୱାର ବାଡ଼ି,

ଯାହାକୁ କରାଳ କାଳ ନେଇଅଛି କାଢ଼ି !

ଖେଳୁଥିଲି ବୁଲୁଥିଲି ସଙ୍ଗ ଗହଳରେ,

ଲୁଚିଛି ସେ କାଳ ଏବେ କାଳ ଗରଭରେ !

ଆସୁଥିଲା ନବବଧୂ ସେ ଗୃହ ପ୍ରାଙ୍ଗଣେ,

ଦେଖୁଥିଲେ ବାମାମାନେ ସୁନ୍ଦର ଆନନେ !

ଫୁଟନ୍ତି ଫୁଲ ପରାଏ ଦିଶୁଥିଲା ତୋରା,

ଚମ୍ପାଫୁଲ ପରି ଦେହ ଦିଶୁଥିଲା ଚୋରା !

କାଳକ୍ରମେ ସେହି ଏବେ ହୋଇଅଛି ବୁଢ଼ୀ,

ମଥାରେ ସିନ୍ଦୂର ନାହିଁ, ହାତେ ନାହିଁ ଚୁଡ଼ି !

ସେ ରୋହୂତ ଏହୁ ନୁହେ, ଏ ତ ଆନ ଜନ,

କଳ୍ପନା−ରାଜ୍ୟେ ବିହରେ ସେ ଚାରୁ ଆନନ ।

ସେ ଘର ତ ନାହିଁ ଆଉ ଏ ତ ଆନ ଘର

ସେ ବାଡ଼ି ତ ଏହୁ ନୁହେଁ, ସବୁ ସ୍ୱତନ୍ତର ।

 

ମୋ ସୃତି ଜଗତେ ଭାତେ ସେ ଗୃହ−ପ୍ରାଙ୍ଗଣ,

ସେହି ଲତା ଦ୍ରୁମ ସେହି ବିହଙ୍ଗମ−ସ୍ୱନ ।

ମାଟି ଦେହ ମିଶିଯିବ ଯେବେ ପଞ୍ଚଭୂତେ,

ପିଣ୍ଡୁଁପ୍ରାଣ ଉଡ଼ିଯିବ ଅଜଣା ଜଗତେ,

ତେବେ ଅବା ସେ ମୋହନ ସ୍ମୃତି ପ୍ରିୟତମ

ଲୁଚି ଯାଇପାରେ, ଏବେ କି ଉଜ୍ଜ୍ୱଳତମ ।

 

ଦକ୍ଷିଣା ପବନ

 

ଆ ଆରେ ଦକ୍ଷିଣା            ବାୟୁ ବହି ଆ ତୁ ଝିରି ଝରି

ମୋ ଅଙ୍ଗ ଶୀତଳ କରି ଧାଇଁ ଯାରେ ଧୀରି ଧୀରି ।

ମୁଁ ଯେ ଆତପ−ତାପତ            ଦେହେ ମନେ ସନ୍ତାପିତ

ଚାଲି ଯା ତୋ ବାଟେ ବାଟେ ମୋ ତନୁ ଶୀତଳ କରି ।

 

ମଳୟ ତୋହର ଘର            ବହି ସାଗରଶୀକର

ଆଣୁ ତୁ ସୁଧା−ସମ୍ଭାର ମୋ ପ୍ରାଣ ପରଶ କରି ।

ସୁରଭି କୁସୁମ ବନ            ବାସ କରି ଆହରଣ

ମହାକାଇ ପ୍ରତିପ୍ରାଣ ଯାଅ ଚାଲି ତୁ ବିତରି ।

 

ସୁରଭି କୁସୁମ ବନ            ବାସ କରି ଆହରଣ

ସୁରଭି ସମ୍ଭାର ଘେନି ପ୍ରାଣମନ ତୋଷ କରି ।

ପରଶିଣ ପଦ୍ମବନ,                  ହରି ମକରନ୍ଦ−ଧନ

କରି ତୋଷ ବିଶ୍ୱମନ ବହିଯାଅ ଧୀରି ଧୀରି ।

 

ନଶ୍ୱରତା

 

ଜଡ଼ ଉଦ୍ଭିଦରେ            ପଶୁପକ୍ଷୀଠାରେ

ଅବା ମାନବଜୀବନେ

ଜନ୍ମିଲେ ମରଇ            ନିଶ୍ଚେ ସୃଷ୍ଟ ପାଣୀ

ବିଧି ଅଟଳବିଧାନେ ।

ଦିବ୍‌ବିଜୟୀ ମହା−            ବୀର ସେକନ୍ଦର

ଜୟ କଲେ ଏହି ମହୀ

ନାହାନ୍ତି ସେ ଭବ−            ଭଙ୍ଗୁରତାରୂପେ

ତାଙ୍କର କଥା ଅଛି ରହି ।

ଏ ଭାରତେ ଆସି            ସେକନ୍ଦର ସାହି

କଲେ ବିଜୟ ବିସ୍ତାର

ତାଙ୍କ ନିଜ ଦେଶେ            ଆଜି କେଉଁ ଜାତି

କରିଅଛି ଅଧିକାର ।

କେତେ କେତେ ଜାତି      ଏହି ଭାରତରେ

ପୋତିଲେ ବିଜୟ−ଧ୍ୱଜା

ତାଙ୍କର ବଂଶଧରେ            ପରାଜିଣ ଆନେ

ହେଲେ ଏ ଦେଶରେ ରାଜା ।

ପ୍ରକୃତି ଓ ମନ

 

ପ୍ରକୃତି ତୁ ଚିର ବହୁରୂପା ମନ, ନାହିଁ ତୋର ବିଶେଷତ୍ୱ କିଛି,

ଯେତେବେଳେ ଯାହା କହେ ମୁହିଁ ସେ କଥାରେ ରାଜି ହେଉ ଛି ଛି !

ଯେତେବେଳେ କାର୍ଯ୍ୟ କରେ ମୁହିଁ କିପାଇଁ ନ ଧରୁ ହାତ ମୋର,

କିପାଁ ଲଘୁଶକ୍ତି ନ ହଟାଏ ସୁମହତୀ ଶକତି ଲୋ ତୋର

 

ଯେତେବେଳେ ପୁଛଇଁ ପ୍ରକୃତି ! ଏହି କାର୍ଯ୍ୟ କରିବଇଁ ଆଜି ?

ଶତବାହୁ ଊର୍ଦ୍ଧ୍ୱେ ଉଠାଇଣ ହିଁ ହିଁ ଭରି ହୋଇଯାଉ ରାଜି !

ରକ୍ତ ଯେବେ ତାତି ଉଠେ କେବେ ପୁଣ୍ୟ ଧର୍ମ ହୁଏ ବିସ୍ମରଣ,

ପ୍ରକୃତି ! ତୁ ହେଇ ରକ୍ତମୟ କାମନାର ନ ଲୋଡ଼ୁ ମରଣ !

 

କହୁ ତୁ ଯା ଭାଳିଅଛୁ ନର ! ଆଗହୁଁ ମୁଁ ଅଛି ତାହା କରି,

ଭୀରୁପ୍ରାଣେ ଆଜିଯାଏଁ କିପାଁ କରୁନାହିଁ ତୁ ରେ ଡରି ଡରି ?

ମୋହ ଦୀକ୍ଷା ପାଇ ଗତଯୁଗେ କଲେ ଏହା କେତେ କେତେ ଜନ,

ଜଗତର ଅତୀତ କାହାଣୀ କେତେ ଶାସ୍ତ୍ରେ ଅଛି ତା ବର୍ଣ୍ଣନ ।

 

ଉନ୍ନତ୍ତବାରଣ ପାଶେ ଯେହ୍ନେ ପଡ଼ିଯାଏ ମୁହିଁ ତୋ କଥାରେ;

ଜ୍ୱଳନ୍ତ ପ୍ରଦୀପ−ଶିଖା ମଧ୍ୟେ ପଡ଼ିଯାଏଁ ପତଙ୍ଗ ପ୍ରକାରେ ।

ମନ୍ତ୍ରମୁଗ୍‌ଧ ଭୂଜଙ୍ଗମ ପରି ହୁଏ ଇନ୍ଦ୍ରଜାଲ−ପେଟୀ ଗତ,

ସଙ୍ଗୀତମୋହିତ କୁରଙ୍ଗମ−ସରି ବ୍ୟାଧ−ବାଗୁରାରେ ହତ ।

 

ଲମ୍ପଟ−କପଟ−ବାଣୀ ମୁଗ୍‌ଧା ସୁସରଳା କୁଳବଳା ଭଳି

ଅପକର୍ମ କରି ଅନୁତାପ−ବହ୍ନି ମଧ୍ୟେ କଲବଲେ ଜଳି

ଅନାଇଲେ ତୋ ମୁଖେ ପ୍ରକୃତି ! ବିଜ୍ଞଜନୋଚିତ ଗମ୍ଭୀରତା

ଧରି ଦେଉଁ ତତ୍ତ୍ୱ−ଉପଦେଶ, କହୁ ପୁଣି କେତେ ହିତ କଥା ।

 

କହୁ ‘ଆରେ ଅଜ୍ଞାନ ମାନବ ଅଳ୍ପକ୍ଷଣସ୍ଥାୟୀ ସୁଖ ଲାଗି

ଆଗପଛ ନ ବିଚାରି ମୂଢ଼ ! ନୋହିଲୁ ତୁ କେତେ−ଦୁଃଖ−ଭଗୀ !

ନ ଦେଖିଲୁ ତୋହ ଆଗେ କେତେ ମହାଜନ ଛାଡ଼ି ଦୁଃଖପଥ

ବେଳୁଁ ନିରାପଦ ପନ୍ଥା ଲୋଡ଼ି ଚଳାଇଲେ ସ୍ୱଜୀବନରଥ ।

 

ଦେଖ କୋଟି କୋଟି ସୁଦୃଷ୍ଟାନ୍ତ କେତେ ଶାସ୍ତ୍ରେ ହୋଇଅଛି ଲେଖା

ଶାସ୍ତ୍ର ପଢ଼ି ଅନ୍ଧସମ କର୍ମ୍ମ ନ ଥିଲା ତ କେଉଁ ଯୁଗେ ଦେଖା ।”

ଯେତେବେଳେ ଯାହା ମୁଁ କରଇ ସେତେବେଳେ ସେହି ତା ସରଳ,

ଭାଳେଁ ମୋହପରି ଦିବାନିଶି ଚଳୁଅଛି ବ୍ରହ୍ମାଣ୍ଡମଣ୍ଡଳ ।

 

ମଣେ ଯେହ୍ନେ ଲମ୍ପଟ ପୁରୁଷ ସର୍ବ ନାରୀ ଅଟନ୍ତି ଦୁଃଶୀଳା,

ପାଶବ ଶକତି କାଢ଼ି ନେଲେ ହୋଇଯିବେ ସମସ୍ତେ ପାଂଶୁଳା,

ଭାଳେ ପୁଣି ଶୁଦ୍ଧଶୀଲ ସାଧୁ ଜଗତରେ ସର୍ବେ ସାଧ୍ୱୀ ସତୀ

ଅନିଚ୍ଛାରେ ଦୁର୍ଯ୍ୟୋଗରେ କେହି ଦୁରିତରେ ପଡ଼େ କଷ୍ଟେ ଅତି ।

 

ବହୁରୂପୀ ପ୍ରକୃତି ଲୋ ତୁହି ଦୁଇ ପାର୍ଶ୍ୱ ଅଛି କି ତୋହର ?

କେଉଁ କର ମୋଡ଼ୁ କେତେବେଳେ କି ପ୍ରକାରେ ହେବ ମୋ ଗୋଚର ?

ଯେଉଁ ଆଡ଼ୁ ଛାଟୁଥାଏ ମେଘ ସେହି ଆଡ଼େ ଧରୁ କି ଲୋ ଛତା ?

ମନପାତ୍ରେ ତୁହି ନୀର ସରି ଅଦଭୁତ ପ୍ରକୃତି ତୋ କଥା ।

 

ମନ ମୋର କରେ ସର୍ବ କର୍ମ ତୁହି ତାକୁ ନ କହୁ ଲୋ କିଛି,

ଏତେ ବଡ଼ ପ୍ରକୃତି ତେ ହର ଏ କେବଣ ବେଭାର ଲୋଛି ଛି !

କ୍ଷୁଦ୍ରମନ କରିଯାଏ ସବୁ ତୁ କେବଳ ହଲାଉ ଲୋ ମଥା,

ମନ କହେ ଯାହା ଯେତେବେଳେ ପ୍ରତିଧ୍ୱନି କରୁ ତାହା କଥା ।

 

ଦୁଇ ପଦ ହେଲେ ଅଗ୍ରସର ଝଣ୍ଟ ମନ ପଡ଼ିଯାଏ ତଳ

କିପାଁ ତାକୁ ବେଳୁଁ ନ ତିଆରି ହଟ ଦେଖୁ କଣ୍ଟୁ ତାର ବଳ ।

ଯେତେବେଳେ କାର୍ଯ୍ୟ କରେ ମୁହିଁ କିପାଁ ଝଙ୍କୁନାହିଁ କେଶ ମୋର

କିପାଁ କ୍ଷୁଦ୍ର ବାସନାଅଙ୍କୁର ନ ଭାଙ୍ଗଇ ଶକତି ଲୋ ତୋର ?

 

ଦୂରିତ−ଶାଖିରେ କାଲକ୍ରମେ ଡାଳପତ୍ର କଅଁଳଇ ଯେବେ,

ନରକର ଭୀମ ଗୃଧ୍ରଗଣ ବସନ୍ତି ସେ ତରୁଶାଖେ ତେବେ,

ପାପଦ୍ରୁମେ ହଳାହଳ−ଫଲ ଫଳିଲାରୁ ପ୍ରକୃତି କିପାଁଇ,

ଦେଉ ଲଜ୍ଜା କ୍ଷୁଦ୍ର ମାନବକୁ ଡିବି ଡିବି ଡିଣ୍ଡମ ବଜାଇ ?

 

 

ପ୍ରକୃତିର ଗଭୀରପ୍ରାଣରୁ ଉଠୁଅଛି ନିରନ୍ତର ବାଣୀ

କିପାଁ ଦୋଷ ମାନବରେ ତାକୁ ସତ୍ୟ ଜାଣୁ ଯେସନ ନ ଜାଣି ।

ଜାଣି ନ ଜାଣିଲା ପ୍ରାଏ ଜୀବ, ପଥ ହୁଡ଼ୁ ଥାଉ ଥାଉ ଜ୍ଞାନ,

ଆତ୍ମା କରି ପବିତ୍ର ସୁନ୍ଦର କର କର ବ୍ରହ୍ମପଦଧ୍ୟାନ ।

 

ଚିତ୍ରୋତ୍ପଳାତଟେ ସନ୍ଧ୍ୟା

 

କର୍ମକ୍ଳାନ୍ତ ଶିରେ ଆଜି            ଗଲି ଚିତ୍ରୋପଳା−ତୀରେ,

ଦେଖିଲି ପରାଚୀଦିଗୁଁ            ସନ୍ଧ୍ୟା ଚାଲିଆସେ ଧୀରେ ।

ହମ୍ୱାରଡ଼ି ଛାଡ଼ି ପଥେ             ବାହୁଡ଼ନ୍ତି ଗୋରୁପଲ,

ପାଷାଣବନ୍ଧୁର ପଥେ            ମହିଷ−ଶକଟ ଦଳ ।

 

ପଲ ପଲ ପିଲାମାନେ            ଯୋଡ଼ି ଯୋଡ଼ି ଯୁବାଜନ,

ଖେଳନ୍ତି ନଗର ଦାଣ୍ଡେ,            କରନ୍ତି ସାନ୍ଧ୍ୟ ଭ୍ରମଣ ।

ତ୍ରିବିଦ ପ୍ରାଙ୍ଗଣତଳେ            ଫେଡ଼ି ସ୍ୱରଗ ତୋରଣ,

ଖେଳନ୍ତି କି ଦିବ୍ୟବାସ            ପିନ୍ଧି ଦେବଶିଶୁଗଣ ।

 

ନୀରସିକ୍ତ−ରକ୍ତବାସ−            ଜଡ଼ିତ ମଣ୍ଡିତ ଅଙ୍ଗେ

ସ୍ନାନାନ୍ତେ କଳସୀ−କରେ       ନାରୀଗଣ ଯାନ୍ତି ରଙ୍ଗେ ।

ରଞ୍ଜିତ ବାରୁଣୀନଭେ            ଉଭା ଅବା ସୁଚବାଳା

ପ୍ରବାସୁଁ ଆଗତ ରବି            ପାଶେ ଧରି ଅର୍ଘ୍ୟଡ଼ାଲା ।

 

ଅବା ଚିର୍ତାତ୍ପଳାନୀର            ନିଅନ୍ତି ସୁରଘରଣୀ

ସୁବର୍ଣ୍ଣକଳସୀ କରେ            ବସନେ ଖଚିତ ମଣି ।

ହେମନ୍ତ ଆସିବା ଦେଖି             ନିଦାଘ ଭୟେ ତଟିନୀ,

ଭବିଷ୍ୟ ବିପଦ−ଛାୟା−            ପାତେ ତନ୍ୱୀ ବିଷାଦିନୀ ।

 

ଚାହୁଁ ଚାହୁଁ ତରାଟିଏ             ଦେଲା ଦେଖା ନୀଳନଭେ,

ଦେଖୁଁ ଦେଖୁଁ ଗୋଟି ଗୋଟି            ଗଲେ କିଏ କାହିଁ ସର୍ବେ ।

ଜନତା−ନାଟିକା−ବେଗ−            ହେଲା ଧୀରୁଁ ଧୀରତର,

ନିର୍ଜନ ପ୍ରକୃତିପ୍ରାଣେ             ସଞ୍ଚରିଲା କ୍ଷୀପ୍ରତର ।

 

କର୍ମକ୍ଳାନ୍ତ ପ୍ରାଣୁଁ ମମ            ଘୁଞ୍ଚନ୍ତେ ବିଷୟବିଷ,

ସିଞ୍ଚିଲେ ପ୍ରକୃତିଦେବୀ            ସଧୀରେ ଶାନ୍ତି−ଆଶିଷ ।

ଚିତ୍ରୋତ୍ପଳାଶିଳା ଶର୍ଯ୍ୟା            ଭିରତୁଁ କଳ ଝର୍ଝର,

ପ୍ରଦୋଷସମୀର ସଙ୍ଗେ            ଶୁଭିଲା ପ୍ରକଟତର ।

 

ବାରୁଣୀ ବର୍ଣ୍ଣବିଭବ             ଚାହୁଁ ଚାହୁଁ ଲୁଚିଗଲା,

ରକ୍ତ ପୀତ ନୀଳ ଶୁକ୍ଳ            ସବୁ ହୋଇଗଲା କଳା !

ମାୟାନେତ୍ରେ ବିଭାସଇ            ଭିନ୍ନ ଭିନ୍ନ ଏ ସଂସାର,

ପରିଣାମେ ତତ୍ତ୍ୱଦର୍ଶି−            ନେତ୍ରେ ସର୍ବ ଏକାକାର ।

 

ବହୁଦୂରେ ଜଳୁଅଛି            ସନ୍ଧ୍ୟାଦୀପ ପରପାରେ,

ଏ ସଂସର ଅନ୍ଧକାରେ             ସାଧ୍ରପ୍ରାଣ ପରକାରେ ।

ମିଞ୍ଜି ମିଞ୍ଜି ଦୂରେ ଦୀପ            ମିଞ୍ଜି ମିଞ୍ଜି ନଭେ ତାରା,

ଅସ୍ପଷ୍ଟ ହେ ମହାପ୍ରଭୁ             ଯେହ୍ନେ ଏ ତଟିନୀଧାରା ।

 

ହେ ରୁଦ୍ରସୁନ୍ଦର ପ୍ରଭୁ            ତଥାପି ଦେଖି ପ୍ରକୃତି,

ବାଜି ଉଠେ ହୃଦତନ୍ତ୍ରୀ             ଗାଏ ବିଶ୍ୱ ତବ ସ୍ତୁତି ।

ଗଗନ−ନୀଲିମା, ପକ୍ଷି−            କଳଗୀତି, ନୀଳନୀର,

ଲତାଦ୍ରୁମେ ଫୁଲଫଳ            ଅନନ୍ତ ସମୁଦ୍ରତୀର,

ବନଗିରି ହ୍ରଦନଦୀ             ପ୍ରାନ୍ତର ପଲ୍ଲୀନଗର,

ଦେଖିଲେ ହେ ବିଭୋ ପ୍ରାଣେ      ପଡ଼େ କି ଛାୟା ତୁମ୍ଭର ?

 

ଚଉଦିଗେ ଅନ୍ଧକାର            ଘୋଟି ଯାଇଅଛି ଧରା,

ଆକାଶରେ କୋଟି କୋଟି      ଫୁଟି ଉଠିଛନ୍ତି ତରା ।

ନଦୀକୂଳେ ବଟମୂଳେ            ଅଗ୍ନି ଜାଳେ ବେନି ପାନ୍ଥ,

କରନ୍ତି ରନ୍ଧନ ଅନ୍ନ            ବାକ୍ୟହୀନ ପଥଶ୍ରାନ୍ତ ।

 

ପଚାରିଲା ଜଣେ “ଭାଇ            ଏକ ପାକ ହେବ କି ହେ ?”

ଉତ୍ତରିଲା ଆନ “ମୁହିଁ            ଓଡ଼ିଆ ଝାଡ଼ୁଆ ନୁହେ ।”

ଭାଇ ଭାଇ ଠାଇଁ ଠାଇଁ            ଏହି କି ଭବବେଭାର,

ଉଦର କି ସର୍ବସାର,             ନୁହେ କି କେହି କାହାର ?

 

ଶିଳା−ସୋପାନରେ ମୁହିଁ            ବସିଅଛି ନୀରବରେ,

ବିଭିନ୍ନ ସେ ଦୁଇ ପାନ୍ଥ            କରନ୍ତି ପାକ ସ୍ୱକରେ ।

କେହି ତ କାହାକୁ କିଛି            କହୁ ନାହିଁ କେଉଁ କଥା,

ଆନମନେ ଯେ ଯାହାର            ରାନ୍ଧୁଛି ପୋତିଣ ମଥା ।

 

ବିଚାରିଲି ଅଦଭୂତ            ଜାତିର ଏ ଭେଦନୀତି,

ମାନବମାନବମଧ୍ୟେ            ଘଟାଇଅଛି ଅପ୍ରୀତି ।

ଦୁହେଁ ହିଁ ଦରିଦ୍ର ଦୁହେଁ            ପଥଶ୍ରାନ୍ତ ନିଃସହାୟ,

ଏକତ୍ର କରିଲେ ପାକ            ହୁଅନ୍ତା କିବା ଅନ୍ୟାୟ ?

 

ପଶୁପକ୍ଷୀ ଦଳ ବାନ୍ଧି            ରହନ୍ତି ଗହନ ବନେ,

ସମାଜେ ଥାଇଁଣ କିପାଁ            ଭେଦବୁଦ୍ଧି ନରମନେ ?

ପ୍ରକୃତିକୁ ତେଜି କିପାଁ            ଧରିଛି ବିକୃତବୁଦ୍ଧି ?

ସ୍ୱଭାବବାଦୀ ବିକାରେ            ମଣୁଅଛି ଚିତ୍ତଶୁଦ୍ଧି ।

 

ଦୁଇଘଡ଼ି ହେଲା ନିଶା,            ପଛ କରି ସମଲାଇ,

ତେଜିଣ ସମାଜତ୍ତ୍ୱ            ଡେରାକୁ ଗଲି ପଳାଇ ।

 

Unknown

ବର୍ଷା–ଅବକାଶ

 

ଝର ଝର ଝରେ ନଭୁଁ ଇନ୍ଦ୍ର ବରଷଇ ବାରି

ମୋତେ ମନେ କରି ମନ ଝୁରେ କି ଦୂରେ କାହାରି ?

କେଉଁଠାରେ ଅଛି କିଏ ମୋ ପ୍ରାଣବାଞ୍ଛିତ ଧନ,

କାହା କଥା ମନେ ପଡ଼ି ମୋ ମନ ଏଡ଼େ ଉଚ୍ଛନ୍ନ ।

ଉଦାସ ଉଦାସ ମନ କିଛି ଭଲ ଲାଗୁ ନାହିଁ,

ତଥାଚ ଅପୂର୍ବ ସୁଖ ବରଷା ଧାରାକୁ ଚାହିଁ ।

ବିଷାଦଭରା ଏ ସୁଖ ଅଦଭୁତ ବିଭୁଦାନ,

ଓତଃପ୍ରୋତଃ ଘୋଟିଅଛି କେମନ୍ତ ମୋ ମନପ୍ରାଣ !

ହେ ନାଥ କେଉଁଠି ଅଛି କେଉଁ ଭାବେ ମହାପ୍ରଭୁ !

ଦେଖାଦିଅ ଦୀନବନ୍ଧୁ, ଯାଉ ଏ ସଂଶୟ ସବୁ !

ତୁମରି ବରଷା ଧାରା ଫୁଟାଏ କୁସୁମ କଢ଼ି

ଏ ବରଷା ପରଶରେ ଦ୍ରୁମଲତା ଯାଏ ବଢି ।

ଅସ୍ପଷ୍ଟରୂପେ ହେ ନାଥ ! ତା ମଧ୍ୟେ ଅଛ ପ୍ରଚ୍ଛନ୍ନ,

ତେଣୁ କି ଅପୂର୍ବଭାବେ ପୂର୍ଣ୍ଣ ମମ ପ୍ରାଣ ମନ ।

ତବ ଆବିର୍ଭାବେ ବିଭୁ ତୁମରି ଏ ଆତ୍ମାମନ,

ଅଦୂର ପରଶେ ଅବା ଅପୂର୍ବଭାବେ ମଗନ ?

କିନ୍ତୁ କିପାଁ ପାଶେ ଥାଇ ଦୂରେ ଅଛ ହେ ଗୋସାଇଁ

କାହିଁକି ଏ ବଜ୍ରବାଡ଼ ତୁମ୍ଭ ମୋ ମଧ୍ୟେ ହେ ସାଇଁ ?

ଅବା ପାପକଳୁଷିତ ଏହି ହୃଦସଂହାସନ,

କିପରି ପବିତ୍ର ପ୍ରଭୁ କରିବ ଉପବେଶନ ?

 

ଆସ ଆସ ଅନ୍ତର୍ଯ୍ୟାମି ! ଧୋଇଦିଅ କୃପାନୀରେ,

ବିମଳହୃଦୟପୀଢ଼େ ବସ ଆସି ପ୍ରଭୁ ଧୀରେ ।

ତୁମ୍ଭେ ତ କୃପାବାରିଧି ମୋ ପାପର ଅଛି ଅନ୍ତ,

ସାନ୍ନିଧ୍ୟ ଲଭିଣ ତବ ମୋ ପାପର ହେଉ ଅନ୍ତ ।

 

କୃପାମୟ କୃପା କରି ପୂର୍ଣ୍ଣ କର ଆକିଞ୍ଚନ,

ବିତର କରୁଣା ବାରି ମୁଁ ଯେ ଅତି ଅକିଞ୍ଚନ ।

ବେଳେ ବେଳେ ମନେ ଜାଗେ ଯେଉଁ ପବିତ୍ରବାସନା,

ସ୍ଥାୟୀ ହେଉ ସେ ସର୍ବଦା, ଯଉ କଳୁଷକାମନା ।

 

ପାପଚିନ୍ତା, ପାପକଥା, ପାପକର୍ମ ନିଚନ୍ତର

ବଳେ କେଶ ଆକର୍ଷଣେ ପ୍ରଭୁ ମୋତେ ରକ୍ଷା କର ।

ତୁମ୍ଭ ପ୍ରେମ ପବିତ୍ରତା ପାରିଜାତ−ସଉରଭେ,

ମହକୁ ମୋ ମନପ୍ରାଣ, ସାର୍ଥ ହେଉ ଜନ୍ମ ଭବେ ।

 

ହୈମନ୍ତିକ−ସନ୍ଧ୍ୟାଚିନ୍ତା

ଅବତୀର୍ଣ୍ଣ ଅବନୀରେ ସୁକାନ୍ତ ହେମନ୍ତ,

ଧରଣା ଦିଶଇ ଆହା କେମନ୍ତ ଶ୍ରୀମନ୍ତ !

‘ଛେଟ ଚମ୍ପା’–ଲଘୁଧାନ ପାଚଇ କୋଦାରେ,

ଭାରେ ଭାରେ କୃଷକ ତା ବହୁଥାନ୍ତି ଘରେ ।

ସୁନ୍ଦର ଦିଶଇ ଧାନ ପାଚି ଟୁଣୁ ଟୁଣୁ,

କେତେ ଆଶା ବାନ୍ଧେ ଚଷା ରବି ବୁଣୁ ବୁଣ୍ଡ ।

ନଦୀ ବନ୍ୟା ଯେ ଫସଲ ଧୋଇ ନେଇଥାଏ,

ହୈମନ୍ତିକ ଫସଲ ତା ସ୍ଥାନକୁ ପୂରାଏ ।

ଅଚିର ସଂସାରେ କିଛି ଚିର ନ ହେଇ,

ଆଶା−ବୈତରଣୀ ନଦୀ ପ୍ରାଣୀ ଶୀତଳଇ ।

ନଦୀ−ନାଳୁ ଜଳ ନିଏ ଚଷା ମାଲ ବାନ୍ଧି,

ପିଇ ବଡ଼ଧାନ ବାହରଇ କାନ୍ଧି କାନ୍ଧି ।

ପବନେ ଦୋହଲୁଥାଏ ଆନନ୍ଦେ କେଦାର,

ପ୍ରତିଧ୍ୱନି କରେ ପ୍ରାଣ−ଆନନ୍ଦ ଚଷାର ।

ବିଞ୍ଚନ୍ତି ପବନ ଛଳେ ପଣନ୍ତର କାନି,

ମାନବ−ପ୍ରାଣ−ଦାୟିନୀ ଲକ୍ଷ୍ମୀଠାକୁରାଣୀ ?

ଗୃହେ ଥାଏ ଦେହ ସିନା ବିଲେ ଥାଏ ପ୍ରାଣ,

ନିଶିଦିବା କୃଷକର କ୍ଷେତେ ଥାଏ ଧ୍ୟାନ ।

 

ପବିତ୍ର କାର୍ତ୍ତିକେ କରି ପ୍ରଭାତରୁ ସ୍ନାନ

ପବିତ୍ର କରନ୍ତି ଭକ୍ତଗଣ ମନପ୍ରାଣ ।

ଆମିଷ ଆହାର ତେଜି କରନ୍ତି ହିବିଷ୍ୟ,

ମରଣାନ୍ତେ ସ୍ୱର୍ଗବାସ ମନାସି ଭବିଷ୍ୟ ।

 

କାର୍ତ୍ତିକ ମାହାତ୍ମ୍ୟ ପୁଣି ନାମସଂକୀର୍ତ୍ତନ,

ଜନପଦ ଦାଣ୍ଡେ ଉକ୍ତ କରନ୍ତି ଭ୍ରମଣ ।

ଊର୍ଦ୍ଧ୍ୱେ ବାହୁ ତୋଳି କ୍ଷପ୍ର ଗତି ହୋଇ କେହି,

ହାତ ତାଳି ଦେଇ ଦେଇ ନାଚେ ଧେଇ ଧେଇ ।

 

‘ଧିକ୍ ତାନା ଧିକ୍ ତାନା’ ମୃଦଙ୍ଗର ସ୍ୱନ

‘କହେ ତାକୁ ଧିକ୍’ ଯୋନ ନିଏ ହରିନାମ ।

ହରିନାମ ଅଟେ ଭାଇ ଭବାବ୍‌ଧି−ତରଣୀ

ଅଦ୍ଭୁତ ଅଟଇ ହରି ନାମର କରଣୀ ।

 

ନାମେ ମାତ୍ର ଅଜାମ୍ୱିଳ ତରେ ଭବସିନ୍ଧୁ

କି ନ ହେବ ତହିଁ ଯୁକ୍ତ ହେଲେ ଭକ୍ତି ବିନ୍ଦୁ ।

ପର୍ବତ ଲଙ୍ଘଇ ପଙ୍ଗୁ, ମୂକ ହୁଏ ବକ୍ତା,

ଅସୁର ହୁଅଇ ଦେବଭକତି ସଂଯୁକ୍ତା ।

 

ପ୍ରଦୋଷେ ଗମିଲି ଦିନେ ପ୍ରଦୋଷ−ଭ୍ରମଣେ

ଦୁଗ୍‌ଧ ମମ ପ୍ରାଣମନ ପ୍ରକୃତି ଦର୍ଶନେ ।

ନିସର୍ଗ−ସୁଷମା ଆହା କିବା ମନୋଲୋଭା,

ଋଷି−ଭକ୍ତ କବି−ପ୍ରିୟ ସ୍ୱଭାବର ଶୋଭା ।

 

ବାରୁଣୀଗଗନ ଦିଶେ କିବା ଶୋଭାବନ,

ବର୍ଣ୍ଣ ବୈଭବର କିବା ବିଚିତ୍ର ଭବନ ।

ପଲ୍ଲୀର ପଶ୍ଚିମ ପ୍ରାନ୍ତ ବିରୂପାର ତଟେ

ଅସ୍ତୋନ୍ମ ଖରକ୍ତା−ରବି ସାନ୍ଧ୍ୟ ବ୍ୟାମପଟେ ।

 

ପ୍ରଭାତ ପ୍ରଦୋଷ ପରି ମହତ ବ୍ୟାପାର,

ଚକିତ କରଇ ପ୍ରାଣ, ଗର୍ବ ମାନେ ହାର ।

ମିଳନ−ମେଲାଣି ବେନି ବିଧିର ସର୍ଜ୍ଜନା,

ବିସ୍ଫାରିତ କରିଦିଏ କବି−କଳପନା ।

 

ଦୈନନ୍ଦିନ ଜୀବନର ସାମାନ୍ୟ ଘଟନା,

ପ୍ରାଣ କରେ ଉଦାସୀନ ଗଭୀର ଭାବନା ।

ସୁନ୍ଦର ବିସ୍ମୟକର ପବିତ୍ର ସଂସାର

ଦେଖି ପ୍ରତିଦିନ ଲାଗେ ସାମାନ୍ୟ ବ୍ୟାପାର ।

ନିମର୍ଗେ ସ୍ୱର୍ଗୀୟଶୋଭା ଦିଶଇ ଅସ୍ପଷ୍ଟ,

ଅତି ପରିଚୟେ ସିନା ଗଉରବ ନଷ୍ଟ

ଏହିପରି ଭାବୁ ଭାବୁ ଘୋଟିଲା ଅନ୍ଧାର,

ପ୍ରକୃତିକୁ ତେଜି ବାହୁଡିଲି ସ୍ୱା−ଆଗାର ।

ଚାହୁଁ ଚାହିଁ ଜନପଦ ମଉନ ଲଭିଲା,

ଯାହା ଥିଲା ସ୍ପଷ୍ଟ ତାହା ଅସ୍ପଷ୍ଟି ହୋଇଲା ।

ଗୃହେ ଗୃହେ ନିର୍ବାପିତ ପ୍ରଦୀପ−ବର୍ତ୍ତିକା,

ମୃଦୁଁ ମୃଦୁତର ହେଲା ଜୀବନ−ନାଟିକା ।

ଅସ୍ପଷ୍ଟ ଯା ଥିଲା ତାହା ହେଲା ସ୍ପଷ୍ଟତର,

ଏକ ପଟ ପଡ଼ୁ ଉଠିଗଲା ପଟାନ୍ତର ।

ଦେବକନ୍ୟାଗଣ ଜାଳି ରତ୍ନଦୀପତାରା

ଝଲକାଇ ଦେଲେ ଦେବଦାଣ୍ଡ ବ୍ୟୋମସାରା ।

ସାମାନ୍ୟ ଜନତା ହେଲା ନିଦ୍ରାରେ ବିହ୍ୱଳ,

ଉଠିଲେ ଜାଗ୍ରତ ହୋଇ ଭକ୍ତକବି ଦଳ ।

ଯାହା ନିଶା ହୁଏ ସର୍ବଭୂତ ମଣ୍ଡଳର,

ତହିଁ ଜାଗରଣ କବି ଭାବୁକ−ଦଳର ।

ଏହିପରି ଦିନ ବିତି ଯାଏ ଜଗତରେ,

ଜନ୍ମ ଜନ୍ୱାନ୍ତର ଲାଳା କେଉଁ ଉଦ୍ଦେଶ୍ୟରେ ?

 

ବିରୂପା ତଟେ

(ରାଗ−ରାମକେଶରୀ)

 

ନଦୀ ନାମ ଶୁଣି ବିରୂପା ନାମ ପଡ଼େ ମୋ ମନେ,

କୋଟି ବାଲ୍ୟସୃତି ଝଲସି ଉଠେ ସ୍ମୃତି କାନନେ ।

ତୋର ଚାରୁ ତଟେ ବିରୂପା ଘୋଷେ ଚଉଦୁଆର,

“କାଳ ପ୍ରତାପରେ ମାନବ କୀର୍ତ୍ତି କେଡ଼େ ଅସାର ।

 

ତୋ ଚାରୁ ପୁଳିନେ ନିମ୍ନଗା ଶୋଭେ ଅସଂଖ୍ୟ ଗ୍ରାମ,

ଉଭା ନୈସର୍ଗିକ ଶୋଭାରେ ତୀର ଦକ୍ଷିଣ ବାମ ।

ପଲ୍ଲୀ−ସୀମାନ୍ତିନୀ ପ୍ରଭାତୁଁ ଆସି ତୋ ଚାରୁ ତୀରେ,

ସ୍ନାନ କରୁଁ କରୁଁ ହସିଣ ବାଣୀ ଭାଷନ୍ତି ଧୀରେ ।

 

ଧଳା କଳା ନୀଳ ଲୋହିତ ଶାଢ଼ୀ ନବୀନାମାନ,

ପିନ୍ଧି ଆସି ନୀରେ ପ୍ରବେଶି ବସି କରନ୍ତି ସ୍ନାନ ।

ଶାଶୁ ନଣନ୍ଦଙ୍କ ଗଞ୍ଜାଣା କହି ଯୁବତୀଗଣ,

ପରସ୍ପରେ ଗୁପ୍ତେ କରନ୍ତି ତୁଠେ ଅଭିଭାଷଣ ।

 

ସ୍ୱକାନ୍ତ ସୁହାଗବାରତା ସୁହାଗିନୀ କହନ୍ତି,

ଅଭାଗିନୀମାନେ ବିଷାଦେ ନେତ୍ରୁଁ ନୀର ପୋଛନ୍ତି ।

ବୃଦ୍ଧାଗଣ ବଧୂମାନଙ୍କ ଦୋଷଗୁଣ ବଖାଣି

କଳିକାଳ ଢଙ୍ଗ ନିନ୍ଦିଣ ସୂର୍ଯ୍ୟେ ଟେକନ୍ତି ପାଣି ।

ଯୁବାଗଣ ନୀରେ ସନ୍ତରି ବିଡ଼ି ଖେଳନ୍ତି ଖେଳ

କେତେବେଳେ ଅବା ବିଭିନ୍ନ କେବେ ହୋଇଣ ମେଳ ।

ବିରୂପାପଠାରେ ଗୋପାଳେ ରଖି ମେଷ ଗୋଧନ,

ରଖୁଆଳ ଗୀତ ହରଷେ କରୁଥାନ୍ତି ଗାୟନ ।

ମନେ ପଡ଼େ ଯେବେ ବିରୂପା ଦୂର ଶୈଶବ ତଟେ,

ଆହା କି ସୁନ୍ଦର ସେ ଚିତ୍ର ଦୁଗ୍‌ଧ ହୃଦୟ ପଟେ ।

ଗ୍ରାମ ଚାଟଶାଳୀ ତୋ ତଟେ, ଚାଟ ଥିଲଇଁ ତହିଁ

ତୋ ସ୍ରୋତସମାନ ସେ କାଳ ଆହା ଗଲାଣି ବହି ।

‘ଦୁଇ’ ମାଗି ଯାଇଁ ଗୁରୁଙ୍କୁ ବସି ତୋ ଚାରୁ ତୀରେ,

ଉଆସ ପ୍ରାଚୀର ଏ ଆଦି ଗଢ଼ୁଥିଲି ବାଲିରେ ।

ଗୁରୁଙ୍କର ଭୟରେ ସେ ଖେଳ ଛାଡ଼ି ପଳାଉଁ ଫେରି

ପାଇଁ ପାଇଁ ବେତ ବସିବ ଯେବେ ହୋଇବ ଡେରି ।

ବାଲିଘର ଚଢ଼ା ଏ ଭବ ସିନା ଏହି ପ୍ରକାର

ବିଶ୍ୱଗୁରୁଦେବେ ବିଳମ୍ୱ ହେଲେ ଦୁଃଖପ୍ରହାର ।

ଆଜି ଘର କାଲି ଭାଙ୍ଗିଣ ଯାଏ ଜଳପଦନେ,

କାଲି ପୁଣି ଆସି ଗଢ଼େ ମୁଁ ସେହି ବାଲି−ଭବନେ ।

ସେହିପରି କେତେ ଆଶାରେ କରେ ଗୃହ ସଂସାର

ବିପଦପବନ ବିପକ୍ଷନୀର କରେ ସଂହାର ।

ତୋ ପୁଳିନ ବାଲି ଉଆସ କାହିଁ ଗଲା ଉଭାଇ,

ସେ ଜଳ ବାଲୁକା ସେ ପ୍ରାଣ କାହିଁ ଉଭାଇ ଯିବ,

ଜନ୍ମସ୍ମୃତିପଟେ ମୋ ଗୀତ ତେହ୍ନେ ବଞ୍ଚି ରହିବ ।

ପଶ୍ଚିମାଦ୍ରି ତଟେ ବୁଡ଼ଇ କ୍ଳାନ୍ତ ଲୋହିତ ରବି,

ସନ୍ଧ୍ୟା ଦୀପାବଳୀ ବିକାଶେ ବିଶ୍ୱେ ବିଲୋଳ ଛବି ।

ଦିବେ ଦେବକନ୍ୟା ଦିବାନ୍ତେ ନୀଳ ନଭଭୁବନେ,

ଜାଳନ୍ତି କି ତାରା−ପ୍ରଦୀପ ବିଶ୍ୱେଶ୍ୱର ଚରଣେ ।

କେତେ ପୁଷ୍ପବନେ ତୋ ତୀରେ ଫୁଲ ନିର୍ଜନେ ଫୁଟି,

ନୀରବେ ହସିଣ ନୀରବେ ଯାଉଅଛି ଉକୁଟି ।

କେତେ ସ୍ୱର୍ଣ୍ଣ ଗୋରୀ ତୋ ତୀର ଗ୍ରମେ ନବ ଯୌବନେ

ବିଧବା ହୋଇଣ ବଞ୍ଚନ୍ତି ଦୀନ ବିଷ୍ଣଣ୍ଣ ମନେ ।

କେତେ ଫୁଲ ଖେଳି ପବନ ସଙ୍ଗେ ରମି ହସନ୍ତି,

କେତେ ନବବାଳା ଯୁବକକାନ୍ତ କୋଳେ ରମନ୍ତି ।

ଦିନ ନ ସରଇ ଆହା ରେ । ନବ ତରୁଣୀଙ୍କର

ନିର୍ଜ୍ଜନନିଶୀଥେ ଝରଇ ବାଳା ଲୋଚନୁଁ ଝର ।

ମୃତପତି ସ୍ମୃତି ସଙ୍ଖାଳି କରି ନବୀନ ସତୀ,

ଶିଶିର−ପଦ୍ମିନୀ ପରାଏ ବଞ୍ଚେ ବିଷାଦେ ଅତି ।

 

କେତେ ଦୀନ ସାଧୁ ପୁଳିନେ ପଲ୍ଲୀଗ୍ରାମ ନିକରେ

ଅପ୍ରଗଲଭେ ପର−ମଙ୍ଗଳ ସାଧି ସ୍ୱଜୀବନରେ

ଜୀବନ୍ତ ମୁଞ୍ଚିଣ ଯାଆନ୍ତି ଲୋକେ କରନ୍ତି ‘ଆହା’

ଦିଗ୍‌ବିଜୟୀ ବୀର ପ୍ରାଣାନ୍ତେ ପାଇ ନ ପାରେ ଯାହା ।

 

ଅଛି ଆପ୍ତ ବାକ୍ୟ “ପ୍ରାଣୀର ଭଲ ମନ୍ଦ ଯା ବାଣୀ,

ମରଣ କାଳରେ ସଂସାର ଲୋକେ ପାରନ୍ତି ଜାଣି ।”

ଭଲ ପାଏ ‘ଭଲ’ ପଦକ ମନ୍ଦ ‘ମନ୍ଦ’ ବଚନ,

‘ମନ୍ଦ’ ନାମ ଘେନି ମରିଲେ ବ୍ୟର୍ଥ ଯାଏ ଜୀବନ ।

 

ତୋ କୂଳ ବକୁଳତମାଳତଳେ ଗହଳକୁଞ୍ଜେ,

ଗୁଣୁ ଗୁଣୁ ଅଳି ଉଡ଼ିଣ ନିକାଞ୍ଚନରେ ଗୁଞ୍ଜେ ।

ଏହି ଯେ ବିରୁପା ଯା ତଟେ ମୋର ବାଲ୍ୟ−କୁଟୀର,

ଯା ତୀରେ କାନନ ପର୍ବତ ଦିଶୁଥିଲା ରୁଚିର ।

 

ମନେ ପଡେ ଦେଖୁ ଥିଲଇଁ ବାଲ୍ୟେ ନିସର୍ଗ ଶିରୀ,

‘ଆସିଆ’, ‘ଅଳତି’, ‘ଉଦୟଗିରି’, ‘ଲଳିତଗିରି’,

ସେ ‘ଜଟିଆକୁଦ’, ‘ଛତର ତୋଟା’, ହାଡ଼ୁଆପାଳ’

ଯା ଦର୍ଶନେ ଫେରି ଆସଇ ପ୍ରିୟ ଶୌଶବକାଳ ।

 

ଏହି ପାଳକୁଦ ତୋଟାରେ ପରା ଡାଆଣୀମାନେ

ସେକୁଥାନ୍ତି ନିଆଁ ଜାଳାଇ ନିଜ ନିଜ ସନ୍ତାନେ ।

ମସାଲ ହାତରେ କୂଳରେ ବାସୁଳେଇ ଦଉଡ଼ି,

ଚିରକୁଣୀ ବୃକ୍ଷୁଁ ବୃକ୍ଷାନ୍ତେ ଯାଉଥଲା ସେ ଉଡ଼ି ।

 

“ପିଙ୍ଗୁଳେଇ ବର ଭୋଡ଼ା ”ରୁ କୋକିଶିଆଳୀସ୍ୱନ

କି ରହସ୍ୟପୂର୍ଣ୍ଣ ଆବେଶ କରୁଥିଲା ଉତ୍ପନ୍ନ ।

“ବେଲ ଗଡ଼ିଆ”ର ଶ୍ମଶାନେ ସୂଚେ ଫେରଣ୍ଡା ରବ,

କଲାରାପତର ବାଘର ଆସୁଥିବା ସମ୍ଭବ ।

 

ମହାବଳ ଘୋର ନିଶୀଥେ କରୁଁ ଘୋର ଗର୍ଜନ,

“ବିଲ ତୋଟା” କିଆ ବଣରେ, ଆତଙ୍କିତ ମୋ ମନ ।

ଶୋଇ ପଡ଼ିଥିଲି ଦାଣ୍ଡରେ କିଏ ରାତ୍ରି ଅର୍ଦ୍ଧରେ

ତହିଁଆର ଦିନ ସକାଳୁଁ ସୀତା ଅପା କହିଲା,

“ଏହା ନାମ ଧରି ରାତ୍ରରେ କିଏ ଏତେ ଡାକିଲା ?”

 

“ତୁଣ୍ଡରୁ ବାରିଲି ତା ମାତା ଡାକୁଥିଲା ତାହାକୁ”

ବଳିଗଲା ମୋର ଆତଙ୍କ ମୃତ ମାତୃମାୟାକୁ ।

କାନ୍ଧିଲେ ଜନନୀ ଡରାନ୍ତି କକଛୁଆ ନାମରେ,

କକଛୁଆ କିନ୍ତୁ ମୟନେ ନ ଦେଖିଲି ମୁଁ ଥରେ ।

 

ଶୁଣିଲି ତା ଶଦ୍ଦ ରାତ୍ରୀରେ ଥରେ ଉଝଟବେଳେ,

କିନ୍ତୁ ଜାଣେ ତାହା “କୁମୁଦ ଅପା” ଡରାଣ ଛଳେ ।

ଥରେ “ତାଳଗଣ୍ଡ” ବାଉଁଶ ଭଡ଼ା ଉପରେ ପାରି,

ହେଉଁ,କେତେ କଲି ମନାସ ଭୟ ମାଡ଼ିଲା ଭାରି ।

 

ପଛରେ ଥାଇଁଣ ସାଧବ ଅପା ତାହା ଶୁଣିଲା,

ଯାଥା ସମୟରେ ସଭିଙ୍କ ଆଗେ କହି ହସିଲା ।

ଶୁଣି ତା ଯେ ଲଜ୍ଜା ହୋଇଲା ତାର ନାହିଁ ବର୍ଣ୍ଣନ

ବଡ଼ଦିନେ ଲାଜ ମାଡ଼ଇ ତାହାହେଲେ ସ୍ମରଣ ।

 

ମନେ ଅଛି ଥରେ ଛାଡ଼ିଣ ମାତା ପୁରୁଷୋତ୍ତମ

କ୍ଷେତ୍ରେ ଯାଇଥିଲେ, ମୋ ମନ ହୋଇଥଲା ଉଚ୍ଛନ୍ନ ।

ଯେବେ ରାମଲୀଳା ଯାତରା ହୁଏ ଗ୍ରାମ ଦାଣ୍ଡରେ,

ପଲକ ନ ପଡ଼େ ସେ ରାତ୍ରେ ଆଉ ମୋର ନେତ୍ରରେ

 

ରାମଲକ୍ଷ୍ମଣଙ୍କ ଚରିତ ସୀତା ଦେବୀକଷଣ

ଶୁଣି ନେତ୍ରୁ ନୀର ଝରଇ ରାକ୍ଷସ ଯେ ଭୀଷଣ ।

ପିଲାଦିନେ ଥିଲା ପ୍ରଗାଢ଼ ନିଷ୍ଠା ଦେବତା ପ୍ରତି

ନ ଫେରିଲା ଆଉ ଏ ପ୍ରାଣେ ସେହି ଦୃଢ଼ଭକତି ।

 

 

ପ୍ରତି ସୋମବାର “ଐଶାନ୍ୟେଶ୍ୱର” ଦେବଙ୍କ କତି

ଯାଇ ଆଣୁଥିଲି ଚନ୍ଦନ ଭୋଗ ଶ୍ରୀବିଲ୍ୱପତ୍ରୀ ।

ରାଜଯାତ୍ରାଦିନ ଥରେ ମୁଁ ଗଲି ଅଳତିଗିରି

ଗିରିଶିଖେ ଚଢ଼ି ଦେଖିଲି ନେତ୍ରେ ନିସର୍ଗଶିରୀ ।

ନୀଳବେଣୀସମ ଦିଶିଲୁ ତୁହି ଗୋ ସ୍ରୋତସ୍ୱତି !

ପ୍ରଶସ୍ତ କେଦାର ଯେସନ ଶାକ ପଟାଳୀ ତଥି ।

କେତେ କେତେ କଥା ବିରୂପା କାଳ ଅତୀତସ୍ରୋତେ

ତୋ ଜଳବୁଦ୍‌ବୁଦସମାନ ଏବେ ଅଦୃଶ୍ୟ ମୋତେ ।

‘ପୋତା ପୋଖରୀ’ର କୂଳରେ ମଲାମଣିଷମୁଣ୍ଡ

ତାର ଚଉଷଠି କଙ୍କାଳ ଆଖି ବ୍ୟାଦାନ ତୁଣ୍ଡ ।

ଅଣ୍ଟା ଗୋଡ଼ ହାଡ଼ ଶ୍ମଶାନେ ସବୁ ପଡ଼ି ଯା ଥିଲା

ରାତ୍ରେ ସେ ସ୍ୱପନେ ଆସିଣ ଯଷ୍ଟି ଧରି ନାଚିଲା ।

ମରିଥିଲା ଜଣେ ତରୁଣୀ ସନ୍ନିପାତରୋଗରେ,

ପାଉଁଶିଆ ବର୍ଣ୍ଣ ଦେଖିଣ ଥିଲି ପାଣ୍ଡୁଗଣ୍ଡରେ ।

କେମନ୍ତ ସୁନ୍ଦର ଥିଲା ସେ ଚମ୍ପାଗଉର ଦେହ,

କରିଥିଲା ମୋତୋ ଶୈଶବେ ସେହୁ କେତେ ସେନେହ

କେଉଁ ରୂପେ କେଉଁ ଅଜଣା ଦେଶେ ଗଲା ସେ ଚାଲି

କିରୂପାଶଯ୍ୟାରେ ଶୋଇଣ ବୃଦ୍ଧ କଲା ତା ବାଲି ।

 

କୁମ୍ଭୀର ଗଭୀରଗାତରେ ମନ୍ତ୍ରୀଘରର ଝିଅ

ନରମୁଣ୍ଡମାଳ ଦେଖିଲା ହସୁଥିଲେ ସଭିଏଁ ।

କହିଲେ “ଆମ୍ଭକୁ ଆଣିଣ ତୋହପରି ରଖିଲା,

ଶେଷକୁ ଖାଇଣ ଆମ୍ଭର ମୁଣ୍ଡ ଏଠିଁ ଟାଙ୍ଗିଲା,

 

ପଳା ପଳା ଯେବେ ନୋହିବୁ ତୁ ଲୋ ଜୀବନତ୍ୟାଗୀ,

ତୋ ପାଇଁ ସୁନ୍ଦରି ! ରଜାର ପୁଅ ହୋଇଛି ଯୋଗୀ ।”

ମରାତ୍ମକରୋଗ−ସଙ୍କଟେ ପଡ଼ନ୍ତେ ମୋ ଜୀବନ

ଦେବତାଙ୍କ ପଦେ ଜନନୀ କଲେ ମୋତେ ଅର୍ପଣ ।

 

କହିଲେ, “ମୋ ପୁତ୍ର ବଞ୍ଚିଲେ ଏଥୁଁ ଗାଦିଗୋସାଇଁ

ନବବରଷେ ବୈରାଗୀ ତାକୁ ଦେବି କରାଇ ।”

ସେହି ହେତୁ କିବା ଜନନୀ ଏ ମୋ ଉଦାସ ପ୍ରାଣ,

ସଂସାର ମର୍ଯ୍ୟଦା ସମ୍ପଦେ ନ ବଳଇ ମୋ ମନ ।

 

କିପାଁ ତେବେ ପ୍ରାଣ ଜନନି ! ଲୋକେ ଧନ ଅର୍ଜ୍ଜନ

ପାଇଁ କରୁଛନ୍ତି ଯାମିନୀ ଦିବା ସମୁତ୍ତେଜନ ?

ଦାଣ୍ଡ ଗୋଡ଼େବାଣ ମାଳତୀ ଜାମୁ ନାରଙ୍ଗ ତାଳ

ପିଜୁଳି ପିଆରା ନଅରକୋଳି ବେତ ରସାଳ ।

 

 

ନଳିତାବାଡ଼ିର ବାଡ଼ିରେ କଣ୍ଟିଆଳୀ କାକୁଡ଼ୀ

ମୋ ସ୍ମୃତିଗଗନେ କାହିଁକି ଆସେ ବଳେ ଦଉଡ଼ି ।

କାଲିର ସ୍ୱପନ ପରାଏ ମୋତେ ଲାଗଇ ସବୁ

ଚିର ବିଦାୟ ସେ ନେଇଛି କିନ୍ତୁ ବାସ୍ତବ ଭାବୁଁ ।

 

ଗୁଡ଼ାଆସାଇର ବଉଳଗଛି, ମଠତମାଳ

‘ବାଲିଗରି’ ବିଲ ସେପରି ଗ୍ରାମେ କମାରଶାଳ

‘ଗାଆଁ ତଳ’ ‘ବେଲ ଗଡ଼ିଆ ନାଳବନ୍ଧେ ମହାଳ

‘ଛତ୍ରତୋଟା’ ଆମ୍ୱବଚିଚା ‘ଦର୍ଘାପର୍ବତ’ ତାଳ ।

 

ତାଳଗଣ୍ଡ ପୋତା ପୋଖରୀ ବିଲ ତୋଟା ପଡ଼ିଆ

ମାଣ୍ଡୁକା ପାହାଡ଼, ଅଲମଗିରି, ସଙ୍ଗେ ଅସିଆ,

ଲଳିତଗିରିରେ ଚନ୍ଦନ, ଗୁମ୍ଫା ଉଦୟଗିରି,

ଷୋଳପୁଅମାଆ ପର୍ବତ ବାମ୍ପୀ ତୋ ତୀରଶିରୀ ।

 

ନାରାୟଣ−ଚଣ୍ଡୀ ତନୟା ପିଙ୍ଗୁଳେଇ ସୁନ୍ଦୀର

ଘୋଡ଼ା ଚଢ଼ି ପରା ନିଶୀପଥେ ଗ୍ରାମେ ଥାନ୍ତି ପ୍ରହରୀ ।

ନିଃଶଦ୍ଧ ରାତିରେ ମଶାଲ ଦଳେ ନିଶାଗର୍ଜନେ

ଦାଣ୍ଡେ ନଈ ନାଳ−ବନ୍ଧରେ ଚାଲିଯାନ୍ତି ଝଣ୍‌ଝଣେ ।

 

 

ସାତଶ ପଚାଶ ଡ଼ାଙ୍କୁଣୀ ଯୋଗିନୀଙ୍କ ଭଉଣୀ

ଆସିଲେ କାଳିସୀ ଲାଗଇ, ହୁଏ ଆତଙ୍କ ଶୁଣି ।

ବୁଢ଼ୀ ଖାଏ ପିଲା ଭେଣ୍ଡିଆ ରାଣ୍ଡ ସଧବା ବାଳା,

ସଙ୍ଗାଡ଼ୀରେ ଯାନ୍ତି ମଶାଣି ଶବ ମାଳାକୁ ମାଳା ।

 

“ହରି ହର ବୋଲି” ନିଶୀଥେ ନଭେ ପ୍ରତିଧ୍ୱନିତ,

ଶୁଣି କଣ୍ଠାଗ୍ରତ ଜୀବନ ଥର ଉଠଇ ଚିତ୍ତ ।

ବରଡ଼ାପତର ସମାନ ଥରେ ଅଷ୍ଟାଙ୍ଗ ଶିର

ଛାଞ୍ଚୁଣି ବାନ୍ଧିଣ ଜନନୀ କରୁଥାଆନ୍ତି ସ୍ଥିର ।

 

ସପ୍ତା ହୋମ ଯଜ୍ଞ ମାର୍ଜ୍ଜନା ହୋନ୍ତି ଗ୍ରାମର ଚଣ୍ଡୀ

ତିମୁହାଣୀ ଛକେ ଦିଅନ୍ତି ଛେନା ପଣାର ହାଣ୍ଡି ।

ଅଦଭୂତେ ଆସି ଡାଙ୍କୁଣୀ ପଣା ପିଇ ଦିଅଇ

ଝୁଣା ଗୋଗୁଳର ଗନ୍ଧରେ ଗ୍ରାମ ମହକୁଥାଇ ।

 

କାଳିସୀ କହଇ, ‘କା, ଘରୁ ଯିବ କେତେଟା ମୁଣ୍ଡ,

କାହା ପାପଫଳେ ଘଟିଲା ଏହି ଦଇବଦଣ୍ଡ ।

“ହଟୁ ନାହାନ୍ତି ସେ ଡାକୁଣୀ କରୁଅଛନ୍ତି ଅଳି

ଅତିକଷ୍ଟେ ନିଜ ଗ୍ରାମକୁ ରଖୁଅଛନ୍ତି ବାଳୀ ।”

 

 

ଅନ୍ୟ ଗ୍ରାମେପ୍ରାନ୍ତେ ନେଇଣ ଛାଡ଼ି ଦେଇ ଆସନ୍ତି

ସେ ଦିନୁ ସେ ଗ୍ରାମେ ଲାଗିଣଯାଏ ଝାଡା ଓ ବାନ୍ତି ।

କାହିଁ ଗଲା ବୁଢ଼ୀ ଡାଙ୍କୁଣୀ କାହିଁ ଗ୍ରାମଦେବତା

ବିଜ୍ଞାନେ ପଢ଼ିଲି ବ୍ୟାଧିର ହେତୁ ବୀଜାଣୁ କଥା ।

 

ନାହିଁ ଆଉ ଭୟ ଅଛଇ ସେହି ଶୈଶବସ୍ମୃତି

ସ୍ୱପ୍ନ−ଦୃଷ୍ଟ ଭୟ ସମାନ ତୁଟିଅଛି ସେ ଭୀତି ।

ସୂଦୂରେ ବିରାଜେ ଯେ ଛବି ବାଲ୍ୟଜୀବନତଟେ

ଉଦ୍ଭାସଇ କିପାଁ ଆହା ସେ ଆଜି ମୋ ସ୍ମୃତି−ପଟେ

 

ସେ ମଧୁର ବାଲ୍ୟଜୀବନ ମଧୁ−କବିତାମୟ

ବିଷମ ଜୀବନ −ସଂଗାରାମବେଳ ଯୁବାସମୟ ।

ମନେ ପଡେ ଯେବେ ଶୈଶବେ ବସି ଉଷାକାଳରେ

ନିବେଶୁଥିଲି ମୁଁ ନୟନ ଦୂର ଚକ୍ରକାଳରେ

 

କି ଅପୂର୍ବ ଭାବ ମୋ ହୃଦୟ ଦିଗ୍‌ବଳୟରେଖା

ଆଣି ଦେଇଥିଲା ଅଛଇ ସ୍ମୃତି ପଟେ ତା ଲେଖା ।

ସେ ଲେଖା ଦେଖାଇ ପାରନ୍ତି ଯେବେ ପ୍ରାଣୁଁ ଉଦ୍ଧାରି

ମନ ପୂରାଇଣ ଦେଖନ୍ତେ ସର୍ବ ଦେଖଣାହାରି ।

 

 

ଚକ୍ରବାଳରେଖା ଦେଖାଇଥିଲା ଅନନ୍ତ ପ୍ରୀତି

ପ୍ରକୃତିଦେବୀଙ୍କ ନିଃଶଦ୍ଦ ଚିର ପ୍ରଣୟ ଗୀତ ।

ତୁଙ୍ଗ ବିଦାୟସେ ଦେଖଇ ଯେବେ ବିହଙ୍ଗପନ୍ତି

ଶୈଶବ ସ୍ମୃତିଏ ହୃଦୟାକାଶେ ଉଡ଼ିଆସନ୍ତି ।

 

ଆଶାୟୀ ମାନବ ଭବିଷ୍ୟ ଆଶେ ଭୂଞ୍ଜଇ ସୁଖ,

ମୋର ଅନ୍ତରାମୀ ନିରତେ ସ୍ମରେ ବିଗତ ସୁଖ ।

ଅତୀତ ହସ୍ତରୁ ନିଜକୁ ନ ପାରଇ ଛଡ଼ାଇ,

ଅତୀତର ଦାସ ମୁହିଁ, ମୋ ସୁଖ ଅନ୍ୟତ୍ର ନାହିଁ ।

 

କେତେ ଦ୍ୱୀପ ଦେଶଦେଶାନ୍ତ ପୋତ−ବାଣିଜ୍ୟ ଯାଏ

ଚଉଦିଗେ ଚଉକୋଣକୁ କେତେ ମୁଖ ଫେରାଏ ।

ଅୟସ୍କାନ୍ତ−ମଣି ଯେସନ ସଦା ଉତ୍ତରମୁଖୀ

ଅତୀତ ଜୀବନ ଆଡ଼କୁ ଚାହିଁ ହୁଏ ମୁଁ ସୁଖୀ ।

 

ଅତୀତ−ଗରଭେ ଅଛଇ ଯେତେ ସ୍ମତି−ସଞ୍ଚିତ,

ଗାଇଲେ ବହୁତ ବରଷ ନ ସରିବ ମୋ ଗୀତ ।

ନିସର୍ଗର ଲୀଳାକ୍ଷେତ୍ରରେ ବିଧାତାଙ୍କ କୃପାରୁ

ପାଳିତ ହେଉଛି କଳ୍ପନା ଅତି ଶୈଶବକାଳୁଁ !

 

 

ନିର୍ଜ୍ଜନକୁଟୀରୁଁ ବାହାର ହେଲେ ନୟନ ଆଗେ

ଗିରିନଦୀ ବନପ୍ରାନ୍ତର ନାଚୁଥିଲେ ସରାଗେ ।

ପଶ୍ଚିମାଶାତଟେ ତପନ ଯେହ୍ନେ କାଞ୍ଚନଥାଳୀ

ଚାହିଁ ନିର୍ମିମେଷେ ଭାଳଇ ବାଲ୍ୟ−ଘଟନାବଳୀ,

 

ଏ ଛବି ମଧ୍ୟରେ ପଡ଼ଇ ପୁରାତନର ଛାୟା

କେହି ନ ପୁଚ୍ଛଇ ଯାହାକୁ କିପାଁ ଏତେ ତା ମାୟା ।

ତୋ ତଟପଠାରୁ ବିରୁପା ଫେରେ ଗୋଷ୍ଠେ ଗୋଧନ

ଗୋଧୂଳିଗଗନ ହୁଅଇ ଧୂଳି−ଧୂମ−ଆଚ୍ଛନ୍ନ ।

 

ଦୀର୍ଘଛାୟା ଯାଏ ମିଳାଇ ଘନ ଛାୟାନ୍ଧକାର

କାନନକନ୍ଦରାଖୋଲାରୁ କ୍ରମେ ହୁଏ ବାହାର ।

ମିହରବିମ୍ୱିକୁ ଅନାଇ ଗଛ ବାଡ଼ି ଉହାଡ଼େ

ଭାଲେ କ୍ଷଣେ ଦିବ୍ୟଦୃଷ୍ଟିକୁ ଏଡ଼େ ଯିବ କୁଆଡ଼େ ?

 

ନିମେଷେ ନିର୍ଭୟେ ବାହାରି ଘୋଟିଯାଏ ଭୁବନ

ନଦୀପରପାରେ ସେ ଧ୍ୱାନ୍ତେ କରେ ଶିଶୁଦର୍ଶନ,

ଯେସନେ ନୂତନ ପାତକୀ ପାପବାସନା−ଧ୍ୱାନ୍ତ

ବିବେକ−ଭାସ୍କର ଅନାଇ ଭୀତ ହୁଏ ଏକାନ୍ତ ।

 

କିଛିକ୍ଷଣେ ପୁଣି ବାହାରି ଘୋଟେ ପ୍ରାଣ−ଆକାଶ

ଆନନ୍ଦ−ଆଲୋକ ଜୀବନକାଶୁଁ କରେ ବିନାଶ ।

ଧ୍ୱାନ୍ତ−ଅନ୍ତେ ଇନ୍ଦୁଚନ୍ଦ୍ରକାଧାରା ଢାଳେ ଯେସନ

ପାପ ଅନ୍ତେ ବିଭୁ କରୁଣା ଶାନ୍ତି−ସୁଧା ତେସନ ।

 

ଭୀତ ସଙ୍ଗେ ମଧ୍ୟ ଜଡ଼ିତ ମଧୁମୟ ଆନନ୍ଦ

ନ ଲାଗିବ ଫେରି ଆସିଲେ ମୋତେ ଶୈଶବ ମନ୍ଦ ।

ଶୌଶବ, ହରଷ, ବିଷାଦ, କ୍ରୀଡ଼ା, କୌତୁକ, ଭୟ,

ସ୍ନେହ, ପ୍ରେମ, ହାସ୍ୟ, ରୋଦନ, ସ୍ମୃତି, ମୋହେ ହୃଦୟ ।

 

ବାର ମାସେ ତେର ପାର୍ବଣ ଓଷାବାର ବିବାହ

ନବଶିଶୁ ଜନ୍ମ ନବାନ୍ନ ଗୃହ−ପ୍ରତିଷ୍ଠାଚୟ,

ଶ୍ରାଦ୍ଧ, ନବବଧୂ−ଆଗମ, ପଞ୍ଚାୟତ, ବଣ୍ଟୋରା,

ବନ୍ଧୁ−କୁଣିଆଙ୍କ ଆଗମ କିବା ଆନନ୍ଦଭରା

 

*            *            *

ଚାଲିଯାଏ ଯାହା ସଂସାରୁ ହୁଏ ସେ ପୁରାତନ

ସଂସାରୀ ନୂତନ−ନିବନ୍ଧ ନ ଫେରାଏ ନୟନ ।

କିନ୍ତୁ ରେ ଏ କିସ ଆଶ୍ଚର୍ଯ୍ୟ ! ସେହି ମୃତ ଅତୀତ

ସ୍ୱପ୍ନ ଛାୟା ପରି କରଇ ଅଭିଭୂତ ମୋ ଚିତ୍ତ ।

 

ନିସ୍ତବ୍‌ଧ ନିଶୀଥେ ନିର୍ଜ୍ଜନେ ନିଶା କରେ ଗର୍ଜ୍ଜନ

ମଣେ ପୁରାତନ ସେ ସ୍ୱନେ କରେ ଦୂରେ ରୋଦନ

ତରୁଣ ତପନ ଅରୁଣ ପଛେ ଆସି ଭୁବନେ

ଚମ୍ୱନ୍ତି କାଞ୍ଚନ−ବିଭାରେ ହେମମୟ କିରଣେ ।

 

ସେ ଦୁୟତିରେ ସେହି ଅତୀତ ନିହିଥାଏ ତା ଛାୟା,

ଚାଲିଗଲା ଯାହା କିପାଇଁ ଏତେ ତାହାର ମାୟା !

ବିଭାତେ ବିହଙ୍ଗ−ନିସ୍ୱନେ ଶୁଣେ ଅତୀତ−ବାଣୀ

କୁହୁ ସ୍ୱନେ ‘ଉହୁ’ ଛକିଛି ଶୁଣି ପାରେ ମୁଁ ଜାଣି ।

 

ପ୍ରଫୁଲ୍ଲ ପ୍ରସୂନ କହଇ ପୁରାତନ ବାରତା,

ଅସ୍ତୋନ୍ନଖ−ଭାନୁ ମଣ୍ଡଳେ ଲେଖା ଅତୀତ କଥା ।

କୁଳୁ କୁଳୁ ନାଦେ ବିରୂପା ବହେ ସିନ୍ଧୁ−ସଙ୍ଗମେ

ସୁସୁ ସୁଲୁ ସ୍ୱନେ ପବନ ଦୂର ଦିକ୍‌ଦେଶେ ଗମେ ।

 

ସବୁର ମଧ୍ୟରେ ଅତୀତ କହେ ନିଜକାହାଣୀ,

ଦୂର ବଂଶୀସ୍ୱନ ପରାଏ ସଦା ଶୁଭେ ସେ ବାଣୀ ।

ପ୍ରାବୃଟେ ନବୀନନୀରଦେ ପୂରାତନର ଛାଇ,

ଆହା ଚାଲିଗଲା ଥରେ ଯେ ପୁଣି ଫେରଇ ନାହିଁ ।

 

 

କାନନକାସାରକୂଳରେ ଦୀର୍ଘଶାଖା ବକୁଳ

ପୁଂସ୍କୋକିଳ କଳ ନିଃସ୍ୱନେ ବନବାଳା ଆକୁଳ;

ଗ୍ରାମବାଳା ଜଳ−କଳସୀ କରେ ଶୁଣେ ସେ ସ୍ୱରେ

କୂଳରେ ବକୁଳ ମୂଳରେ ବସି ତୁଠ ଉପରେ;

 

ଊର୍ଦ୍ଧ୍ୱେ ନୀଳ ନଭ ଚୌଦିଗେ ନୀଳଗିରିନିକର

ପୁରାତନ ଶୋଭଇ ଦିଗନ୍ତ−ବ୍ୟାପୀ ଶ୍ୟାମ ପ୍ରାନ୍ତର,

କାଞ୍ଚନକେଦାରେ କାଞ୍ଚନ−କାନ୍ତି ସୁପକ୍ୱଶାଳି

କି ଲାବଣ୍ୟମୟ ଦିଶଇ ବୁଲିଯିବ କି ଥାଳୀ,

 

କାହିଁ ଅବା ଧାନ୍ୟ−କେଦାର ଦିଶୁଥାଇ ସାଗୁଆ

ପତ୍ର ଛିନି ଛିନି କଅଁଳ ବୁଲି ଶୁଆପକ୍ଷିଆ ।

ତାହାରି ମଧ୍ୟରେ ଦେଖଇଁ ଅତୀତର ମୁଁ ଛାୟା,

ପ୍ରାଣ ମୋର କିଣି ନେଇଛି ସେହି ଅତୀତ ମାୟା ।

 

ଯେଉଁ ଆତ୍ମା ମୋହ ମଧ୍ୟରେ ସେହି ବିଶ୍ୱସଂସାରେ

ମହୀ ଅନ୍ତରୀକ୍ଷ ବ୍ୟାପିଣ ସାରା ଏ ଚରାଚରେ,

ଗିରି ଜନପଦ ନଗରେ ଜଳେ କାନନେ ସ୍ଥଳେ

ସଜନେ ବିଜନେ ତଟିନୀତଟେ ଜଳଧିତଳେ,

 

 

କଠିନ ତରଳ କୋମଳ ଚଳ ଚଞ୍ଚଳ ସ୍ଥିରେ

ଦୀପ୍ର−ଧ୍ୱାନ୍ତେ ପ୍ରାଣେ ମରଣେ ନିସ୍ତବ୍‌ଧତା ବାଗିରେ,

ସୂଦୂର ତାରକା−ଲୋକରେ ତୃଣ ଧୂଳି−କଣାରେ

ତରଲତା−ପୁଷ୍ପ−ପଲ୍ଲବେ ବଂଶୀ ବାଦ୍ୟ ବୀଣାରେ

 

ସେହି ଏକ ଆତ୍ମା; ନୋହିଲେ ମୋ ଆତ୍ମାରେ କିପାଇଁ

ସାରା ସଂସାରର ମାୟାରେ ଯାଏ ମୋ ପ୍ରୀତି ଧାଇଁ ?

ସେମାନେ ଯା, ଥିଲି ପୁରୁବେ ମୁଁ ତା ଦୂର ଅତୀତେ,

ତେଣୁ ଆକର୍ଷଣ ତାଙ୍କରି ବିସ୍ତାରେ ବା ମୋ ଚିତ୍ତେ ।

 

ମୋ ମଧ୍ୟେ ଯା ଅଛି ଅଛଇ ଜଡ଼ ଉଦ୍ଭିଦଲୋକେ,

ଚିହ୍ନଇ ଭୁଞ୍ଜଇ ଜଗତ ମୁଁ ମୋ ଆତ୍ମା−ଆଲୋକେ ।

ଜ୍ଞାନ ଇଚ୍ଛା ପ୍ରେମ ସ୍ୱରୂପେ ଆତ୍ମାରେ ଯେ ଅଛଇ

ମୋର ଲୋମକୃପେ ସୋ ଆତ୍ମା ସଂଜୀବିତ କରଇ ।

 

କି ଲୋଡ଼େ ଏ ପ୍ରାଣ ମୋହର ମୁଁ ଯେ ନ ପାରେ କଳି

ଅନୁଦିନ ପ୍ରାଣପ୍ରୟାସ ଯାଏ କଳ୍ପନା ବଳି,

ଉଦ୍ଦାମ ଅନ୍ତର ଏ ମୋର ଅଳ୍ପେ ବୋଧ ନ ମାନେ;

କେଉଁ ଦୂର ଦେଶେ ଗମଇ ଚଢ଼ି କଳ୍ପନା−ଯାନେ;

 

 

ଗିରି ନଦୀ ବନ ପ୍ରାନ୍ତର ବସୁନ୍ଧରା ବାରିଧି

ରବି ଚନ୍ଦ୍ର ତାରା ନକ୍ଷତ୍ର ସୌର ସୃଷ୍ଟି ପରିଧି

କେଉଁ ଅବଜ୍ଞାତ ଲୋକରେ କରେ ମନ ଭ୍ରମଣ,

କେଉଁ ଦୂରଦେଶବାରତା ଶୁଣେ ମୋର ଶ୍ରବଣ ?

 

ଅଛି ଯାହା ତୁହିଁ ମୋ ମନ ନ ମାନଇ କିପାଇଁ,

ଶୁଭୁଅଛି ଦୂର ଆହ୍ୱାନ ଜାଣି ପାରଇ ନାହିଁ ।

ଅସ୍ପଷ୍ଟ ଛବି ଏ କାହାର ଦେଖୁଅଛି ନୟନ

ସୁସ୍ପଷ୍ଟଭାବରେ ନ ଦେଖା ଦିଏ ମନ−ମୋହନ ।

 

ଯେତେ ଦୂରେ ଯାଏ ତେତିକି ଦିଗ୍‌ବଳୟରେଥା

ଅପସରି ଯାଇ ସୁଦୂରେ ମୋତେ ଯାଏ ରେ ଦେଖା ?

ଦଉଡ଼ି ଦଉଡ଼ି ତାହାକୁ ନ ପାରଇ ମୁଁ ଧରି

ଚକ୍ରବାଳ ପଛେ ଧାବନ କେବେ ନ ଯାଏ ସରି ।

 

ଏହା କି ବିଧାତାବିଧାନ ଯେତେ ଦୂର ଯେ ଯାଏ

ଦୃରତର ଦେଶ ସଦୃଶ ତାର ନୟନ ପାଏ ।

ଯେଉଁ ପକ୍ଷୀ ଯେତେ ଉଡ଼ଇ ସେତେ ଦୂରଦେଶର

ବାର୍ତ୍ତା ବିହାୟସ ଚରକୁ ହେଉଥାଏ ଗୋଚର ।

 

 

ଆତ୍ମାବିହଙ୍ଗମ ଉଡ଼ଇ ଭୂମା କଳ୍ପନାମ୍ୱରେ

ଯେତେ ଦୂର ଉଡ଼େ ସେତିକି ଅଶା ଜାଗେ ଅନ୍ତରେ ।

ଅନନ୍ତ ଆକାଶେ ଅନନ୍ତ କାଳ ଉଡ଼ିବ ପରା,

ଅନନ୍ତ ଉନ୍ନତି ତା ଲକ୍ଷ୍ୟ କେବେ ନ ଦେବ ଧରା ।

 

ଧରାଦେଲେ ହେବ ସନ୍ତୁଷ୍ଟି, ସନ୍ତୁଷ୍ଟି ହିଁ ମରଣ,

ମରଣ−ଅତୀତ ଶାଶ୍ୱତ ମାନବର ଜୀବନ ।

କେଉଁ କବିତା ମୁଁ ଲେଖିବି କିସ ବାଛି ନେବଇଁ,

କି ଚିର ସୌଭାଗ୍ୟ ମୋଭାଗ୍ୟେ ଅଛି ଭବିଷ୍ୟେ ରହି ?

 

କେଉଁ କାବ୍ୟ ଲେଖି ମୋର ଏ କ୍ଷୁଦ୍ର କବିଜୀବନ

ଚରିତାର୍ଥ ହେବ ଜାଣିବା ପାଇଁ ଉଦ୍‌ବିଗ୍ନ ମନ !

ପ୍ରାଣୁ କି ଅବ୍ୟକ୍ତ ଆବେଗ ଉଠୁଅଛି ନିୟତ,

ସେତେ ଜଳିଉଠେ ସେ ବହ୍ନି ଯେତେ କରେ ସଂଯତ ।

 

ଜାଣେ ମୁଁ ଜୀବନ−ଉଦ୍ଦେଶ୍ୟ ମୋର ଏହି ଲେଖନୀ,

ମୃତ୍ୟୁ ପଛେ ମନେ ରଖିବ କିଛିଦିନ ଧରଣୀ,

ଏ ମୋର ପରାଣ−କାମନା ହେଲେ ହେବ ସଫଳ

ନ ହେଲେ ମୋ ଜନ୍ମ ଧରାରେ ହେଇଯିବ ବିଫଳ ।

 

ଭୀମ ଟାଙ୍ଗୀ

 

ହେ ଭୈରବ ଭୀମ ଟାଙ୍ଗୀ ତୋର ଦର୍ଶନରେ,

ଗଲି ଥରେ ବୈଶାଖର ଭୀମ ମଧ୍ୟାହ୍ନରେ ।

କି କରାଳ କି ଭୀଷଣ ସ୍ୱରୂପ ଦେଖିଲି !

ପ୍ରଳୟଦେବତା ରୁଦ୍ରଯୋଗ୍ୟ ପୀଠସ୍ଥଳୀ ।

କି ଉନ୍ମତ୍ତ ବାତାବର୍ତ୍ତ ଭୀଷଣ ଘୂର୍ଣ୍ଣନ,

ଘୋର ଘୋଷେ ମହାଦ୍ରୁମ−ମୂଳ−ଉତ୍ପାଟନ ।

ଉନ୍ନତ୍ତ ଧୂର୍ଜ୍ଜଟି କାଳ−ହିଲ୍ଲିଷକ ଖେଳ,

ସୃଷ୍ଟି−ପାରାବାର ଯେହ୍ନେ କରାଳ ଉଦ୍‌ବେଳ ।

ତପ୍ତ−ତୋୟା ନଦୀଶୂନ୍ୟ ତଡ଼ାଗ ପଳ୍ୱଳ,

କାଳ−ଅହି ଫୁତ୍‌କାରଇ ଉଷ୍ଣ ହଳାହଳ ।

ଲୋଳଜିଦ୍ୱା କୃଷ୍ଣଜିହ୍ୱା ମରୀରିକା−ଛଳେ ।

ତୃଷ୍ଣାର୍ତ୍ତ ଆଶାୟି−ପାଣ ଓଟାରେ ସବଳେ ।

ପତ୍ରହୀନ ତରୁତୃଣ ମହାଦୁଃଖଭରେ

ଶୋଚନ୍ତି ଅଭ୍ୟସ୍ତ ଆତିଥେୟତା ଅନ୍ତରେ ।

ଦାରୁଣ ନିଦାଘ ତାଙ୍କ ସଦ୍‌ଗୁଣ ସୁମରି,

ଦିଏ ତାଙ୍କୁ ଅବା ଦଣ୍ଡ ଦ୍ୱିଗୁଣିତ କରି ।

 

ମହାରୁଦ୍ର କେଳିପୀଠ ଏକ୍ରାମ୍ର−ପାନ୍ତର,

ଭୀମ ଟାଙ୍ଗୀ ସିଂହାସନ ଅଟେ ସେ ପୀଠର ।

ତପ୍ତ ବାତାବର୍ତ୍ତ ବହୁଥାଏ ହାଉ ହାଉ,

ଜଳି ଉଠେ ଚିତାଗ୍ନି ତା ସ୍ପର୍ଶେ ଦାଉ ଦାଉ !

 

ରାତ୍ରେ ପ୍ରେତଗଣ କରି ଘୋର କିଳିକିଳା,

ଫୋପଡ଼ା ଫୋପଡ଼ି ହେଉଥାନ୍ତି ଖଣ୍ଡଶିଳା ।

ରୌଦ୍ର ବିଭତ୍ସ ରସର ଦେଖି ନିଦର୍ଶନ,

ଭୀମ ଟାଙ୍ଗୀ ତୋ ପାଶରୁ କଲି ପଳାୟନ ।

 

ବହୁ ଦିନେ ତୋର ସ୍ମୃତି ନିଶୀଥ ସମୟ

ମାତ୍ର ଦିନେ ରୌଦ୍ର ବୀର−ଶାନ୍ତ−ଆଦି−ଆଦି

ଶାଶ୍ୱତରେ ଲଭିବଟି ନୀରବ ସମାଧି ।

 

ସୁଖଦୁଃଖ

ସୁଖେ ପ୍ରଭୁ ସହଜ ତୋ ପୂଜା, ରଖିଥାଅ ସୁଖେ ସଦା ମୋତେ,

ଦୁଃଖ−ଅଭିଭୂତ ହେଲେ ବିଭୁ ! କାଳେ ଭୁଲିଯିବି ପ୍ରଭୁ ତୋତେ ।

ଦୁଃଖ−ଅଶ୍ରୁ−ପୂରିତଲୋଚନ ପ୍ରଭୁ କାଳେ ଦିଶିବ ଅସ୍ପଷ୍ଟ

ତେଣୁ ନିବେଦଇଁ ପାଦପଦ୍ନେ ନ ଦିଅ ହେ ପ୍ରଭୁ ଅତି କଷ୍ଟ ।

ସୁଖେ ଯଦି ହରାଏ ତୁମ୍ଭଙ୍କୁ ପ୍ରଭୁ ହେ ସେ ସୁଖ ନାହିଁ ଲୋଡ଼ା,

ତୁମ୍ଭଙ୍କୁ ପାଇବା ପାଇଁ ପ୍ରଭୁ ଦିଅ ଦୁଃଖ ସୁଖ ଥୋଡ଼ା ଥୋଡ଼ା ।

 

ସୁଖ ଯେତେ ଦେଇଅଛ ପ୍ରଭୁ, ଭୁଞ୍ଜିଅଛି ଆନନ୍ଦରେ ଯେବେ,

ଦୁଃଖ ଯେତେ ଦେଇଅଛ ସବୁ ନ ସହିବ କିପରି ବା ତେବେ ?

ନେବା ନ ନେବାରେ କିଛି ନାହିଁ ଅଲଙ୍ଘ୍ୟ ତ ତୁମ୍ଭର ବିଧାନ,

ଶକ୍ତି ଦିଅ ସହିବାର ପାଇଁ ଅନ୍ତର୍ଯ୍ୟାମୀ ସର୍ବଶକ୍ତିମାନ ।

 

ଧନ ଜନ ମାନ ସ୍ୱାସ୍ଥ୍ୟ ଜ୍ଞାନ ଅକାତରେ କଲ ଯେବେ ଦାନ ।

ଆନନ୍ଦରେ ପାଣି ପ୍ରସାରିଣ ଶିରେ ନେଲି ପ୍ରଭୁ ଭଗବାନ ।

ଏବେ ଦୁଃଖ ଶୋକ ଅପମାନେ ଦେଖି ପ୍ରଭୁ ହୁଏ ମୁଁ କାତର,

ସହିବାକୁ ମୋ ଦୁର୍ବଳପ୍ରାଣେ ବଳ ଦିଅ ପ୍ରଭୁ ପରାତ୍ପର ।

 

ସୁଖ ଦୁଃଖ କର୍ମବୃକ୍ଷଫଳ ଅଟନ୍ତି ସେ ନିଜର ଭିଆଣ,

କରନ୍ତି ସେ ଆତ୍ମାର ମଙ୍ଗଳ ବିଧିର ଏ ଶାଶ୍ୱତ ବିଧାନ ।

ଦୁଃଖ ବିନା ସୁଖ ଅସମ୍ଭବ ଅନ୍ଧାର−ଆଲୋକ ବେନି ଭାଇ,

ବିଚ୍ଛେଦ କଷଣ ନ ସହିଲେ ମିଳନର ମାଧୁରିମା କାହିଁ ?

 

ସୁଖଦୁଃଖ ଯମଜ ସୋଦର ଏକ ସଙ୍ଗେ ଆସେ ନିଶ୍ଚେ ଆନ

ଏକ ଭାବେ ଦେଖିବି ବେନିଙ୍କୁ ବଳ ଦିଅ ପ୍ରଭୁ ଭଗବାନ ।

ବାଲ୍ୟ ଖେଳା ଯୌବନ ସମ୍ଭୋଗ ଆନନ୍ଦରେ ନେଲି ବଦ୍ଧକରେ

ଆଶୀର୍ବାଦ କର ଲୀଳାମୟ ଜରାବ୍ୟାଧି ନିଏଁ ସମାଦରେ ।

 

ଆସିବ ତ କଠୋର ମରଣ ଯିବି ତ ଏ ସଂସାରକୁ ତେଜି,

ତେବେ କିପାଁ ଚିନ୍ତା ଅକାରଣ ? ବଞ୍ଚିବି ମୁଁ, ଶେଷଦିନ ହେଜି !

ସୁଖଦୁଃଖମଧ୍ୟରେ କେବଳ କର୍ତ୍ତବ୍ୟ ସାଧନ ମହାବ୍ରତ,

କରି ପ୍ରଭୁ ଅଚଳ ଅଟଳ ସବୁ ମିଥ୍ୟା ତୁମ୍ଭେ ମାତ୍ର ସତ ।

 

ତଅପୋଇ

ଟିକି ଟିକି ଧାନ ଶଏ ଭରଣ,

ବାପାଙ୍କ ଅଣ୍ଟାରେ ସୁନା ଲେଖନ ।

ଭାଇଙ୍କ ହାତରେ ସୁନା ଲେଖନୀ,

ଭାଉଜଙ୍କ−ଅଙ୍ଗେ ଝିନପତନୀ ।

 

ଏକ ଭଉଣୀ ମୁଁ ସାତ ଭାଇରେ

ମୋ ପରି ଅଲ୍ୟଳ କିଏ ମହୀରେ ?

ଶୁଣ ତଅପୋଇ ନ କର ଗର୍ବ,

ଗାଳି ସହନ୍ତି, ନ ସହନ୍ତି ଗର୍ବ ।

 

ଆହା ମୋ ପିଅର କୁଆଡ଼େ ଗଲେ,

ଜନକ ସଙ୍ଗତେ ଜନନୀ ମଲେ ।

ସାତ ଭାଇ ଗଲେ ବୋଇତ ବାହି,

ଆହା କହିବାକୁ ସାହା ମୋ ନାହିଁ ।

 

ଏ ଘୋର ବନସ୍ତେ ଛେଳି ରଖିଲି,

କି ପରା ହେଲି ମୁଁ କି ପରା ଥିଲି

ଶୁଣ ତଅପୋଇ ନ କର ଶୋକ

ସୁଖ ଦୁଃଖ ପୂର୍ଣ୍ଣ ଏ ଧରାଲୋକ ।

 

ଏ ଘୋର ବନସ୍ତ ଘୋର ବରଷା

ବାଘ ଭାଲୁଙ୍କର ଏ ବନେ ବସା ।

ଏକାକିନୀ ମୁହିଁ ଏ ଘନ ବନେ

କେସନେ ବହିବି ହୀନ ଜୀବନେ ?

 

କ୍ଷୁଧାରେ ମୋହର ଉଡ଼ଇ ହଂସା

ହାଇ ରେ ଦଇବ ଦେଲୁ ଏ ଦଶା !

ଶୁଣ ତଅପୋଇ ନ କର ଦୁଃଖ

ସୁଖ ପରେ ଦୁଃଖ ତା ପରେ ସୁଖ ।

 

ଗହ ଗହ ଡାକେ ଲତାପତର,

ଠକ ଠକ ପଡ଼େ ସ୍ୱର୍ଗପଥର ।

ଶିର ଶିର ବହେ ଶୀତ ପବନ,

ଶୀତେ ଥରୁଅଛି ମୋ ଅପଘନ ।

 

 

ଘଡ଼ଘଡ଼ି ଶଦ୍ଦେ କମ୍ପଇ ବନ,

ବିଜୁଳି ବୁଜାଇ ଦିଏ ନୟନ ।

ଶୁଣ ତଅପୋଇ ନ କର ଦୁଃଖ,

ଦୁଃଖ ପରେ ପୁଣି ଆସଇ ସୁଖ ।

 

ପାରିଧିରେ ବିଜେ ରଜାର ପୁଅ,

ଦେଖିଲେ ବନସ୍ତେ ସାଧବ ଝୁଅ ।

ସାତ ଭାଇ କାଳେ କନ୍ୟାକୁ ନୃପକୁମରେ ।

 

ତଅପୋଇ ହେଲା ରଜାର ବୋହୂ

ଭାଉଜଙ୍କ ଦଶା ଶତ୍ରୁଙ୍କୁ ନୋହୁ ।

ନ ହୁଅ ବିପତ୍ତି−ବେଳେ କାତର,

ନ କର ସମ୍ପତ୍ତି−ବେଳେ ଚାତର ।

 

ନବବଧୂ

 

କେ ଦେଖିବ ଦେଖୁ ଆସି ଓଡ଼ିଆର ବୋହୂ

ଶତ୍ରୁକୁହିଁ ଜନ୍ମାନ୍ତରେ ତା ଦୁର୍ଦ୍ଦଶା ନୋହୁ ।

ରାତି ନ ପାହୁଣୁ ବୋହୁ ଉଠେ ସବା ଆଗ,

ବାସି ପାଇଟି ସାରିଣ ରାନ୍ଧେ ତୁଣ ସାଗ ।

ବାର ମାନେ ସୁକୁମାରୀ କରେ ରାତ୍ରୁଁ ସ୍ନାନ,

ହାଡ଼ଭଙ୍ଗା ପରିଶ୍ରମ ଦାରୁଣ ବିଧାନ ।

ସଭିଙ୍କୁ ପରଷି ସବା ପଛେ ତୁଚ୍ଛା ଭାତ

ଖାଇଣ ମେହନ୍ତ କରୁଥାଏ ଦିବାରାତ୍ର ।

ଏଣୁ ତେଣୁ ସବା ପଛେ ପିଇଣ ତୋରାଣି

ନିର୍ଧୁମ ଖରାରେ ହାଣ୍ଡି ଧୁଏ ସେ ରାନ୍ଧୁଣୀ ।

ବେଳ ବୁଡ଼ୁଁ ଜଳଖିଆ, ପଖାଲ ସଜିଲି,

ସଞ୍ଜବେଳେ ସଞ୍ଜବତୀ ବଳି ଦୀପ ଜାଳି,

ଲାଗୁଆଣୀ କରି ଚୁଲି ଲଗାଏ ଫୁଙ୍କିଣ,

ଗୁଣ୍ଡା ଓଦା ଥିଲେ ଲୁହ ଯାଉଥା’ ବହିଣ ।

କେତେ କଷ୍ଟେ ରାନ୍ଧି ରାତ୍ରେ ପରଶେ ସକଳେ,

ଶାଶୁ ଯାଆ ସମସ୍ତଙ୍କ ଗୋଡ଼ ରାତ୍ରେ ମଳେ ।

 

ଅଧରାତି ଗଡ଼ିଗଲେ ନିଶା ଗରଜନେ

ଦୁଇ ପହରିଆ ହୁକେ ହୁକେ ଘଣ୍ଟାସ୍ୱନେ,

ସମସ୍ତଙ୍କ ନାକ ଘଡ଼ ଘଡ଼ ଶୁଣି ସାରି,

ହାଣ୍ଡି ପଖାଳିଣ ରୋଷଘରକାମ ସରି

 

ବେଢ଼ାଣ ବଦଳି ଲମ୍ୱା ଶାଢ଼ୀ ଖଣ୍ଡେ ପିନ୍ଧି

ଗୋଡ଼ ଟିପି ଟିପି ଯାଏ ଟପିଣ ଦୋକନ୍ଧ,

ଦୁମ ଦୁମ ଛାତି, ପଶେ ସ୍ୱାମୀର ମନ୍ଦିରେ,

ତଟସ୍ଥେ ହୁଅଇ ଠିଆ କବାଟ ସନ୍ଧିରେ ।

 

ଏତେ କଷଣରେ ପାକ ନୁହେ ତାର ଦଶା

ଶାଶୁ ନଣନ୍ଦ ଘଟାନ୍ତି ଆହୁରି ଦୁର୍ଦ୍ଦଶା ।

ଯେବେ ରାତ୍ର ଉଠୁଁ ଉଠୁଁ ବଢ଼ି ଯିବ ବେଳ

ଦଶ ପାଞ୍ଚ ମାଇପେ ଯେ ହୋଇଯିବେ ମେଳ,

 

ମଢ଼କୁ ଶାଗୁଣାପରି ଟିକି ଟିକି କରି

ଖାଇଯିକେ ବିଚାରୀକି ନୃଶଂସ ପାମରୀ ।

ଯେବେ ରାତ୍ରେ କେହି ତାର ଶୁଣିଥିବେ ତୁଣ୍ଡ

ସକାଳୁ ମାଇପେ ଥୋକେ ହୋଇଯିବେ ରୁଣ୍ଡ,

 

ବାପ ଅଜା ସତାନବେ ପୁରୁଷରୁ ଶୋଧି

ପେଇ ଦେବେ ସେହିଦିନ ଅବ୍ୟର୍ଥ ଔଷଧି ।

ଏ ଜାଳା ନ ସହି କେତେ ଅଜ୍ଞାନା ସରଳା

ଅଜ୍ଞାତେ ମରନ୍ତି ଭିଡ଼ି ଦଉଡ଼ିରେ ଗଳା ।

 

କେହି ନଈ ପୋଖରୀକି ଡେଇଁଣ ପଡ଼ଇ

କେତେ ସହି ହୁଏ ରକ୍ତମାଂସଦେହ ବହି

ପଚାରୁଛି ଶାଶୁମାନେ ଝିଅ ଜନ୍ମ କରି

କେମନ୍ତେ ଅକାଟ ଏତେ ହୁଏ ତୁମ୍ଭ ଶରୀ ?

 

ପର ଝିଅ ନିରାଶ୍ରୟେ ଅଛି ତୁମ୍ଭ ଘରେ,

ଛି ଛି କେତେ କଷ୍ଟ ଦିଅ ନିର୍ଦ୍ଧୟରୂପରେ !

ଛିଙ୍କିଲା କାଶିଲା ସବୁ ଧରୋଟ କରୁଛ,

ତୁମ୍ଭ ନିଜ କନ୍ୟା ପ୍ରତି ଅନ୍ଧୁଣୀ ହେଉଛ ।

 

ମନେ ରଖ ପର ଝିଏ ଦେଉଅଛ ଯାହା,

ସୁଧ ସଙ୍ଗେ ନିଜ ଝିଅ ପାଇବଟି ତାହା ।

ତଳେ ତାଳ କରି ଏତେ ଦେଉଛ କଷଣ,

ନାହିଁ ମନେ ଧର୍ମଭୟ ନକର ଭୀଷଣ ।

 

 

ବୁଝିଥାଅ ଦିନ ରାତି କରୁଅଛି ଜଣେ,

ନିକିତିରେ ତୁଳା ହେବ ଏହାସବୁ ଦିନେ ।

ବୃଦ୍ଧକାଳେ ସେହି ବଧୂ ତୁମ୍ଭର ଆଶ୍ରୟ,

କେଉଁ ମୋହେ ଏ କଥାଟି କରୁନାହିଁ ଲୟ ?

 

ଆର୍ଶୀର୍ବାଦ

 

ଧନ୍ୟ ଧନ୍ୟ ମହାପ୍ରଭୁ ଆଶୀର୍ବାଦ ତବ,

ପବିତ୍ର ଏ ଗୃହ ଆଜି, ଦୃଶ୍ୟ ଅଭିନବ ।

ସହାସ ନୟନ ଶିଶୁ ଦରୋଟିଆ କଥା

କେଉଁ ଦୂର ସ୍ୱରଗର ଦିଅଇ ବାରତା ।

 

ବଡ଼ ମା ଆନନ୍ଦେ ସୁଖେ ସାଧୁ ଆଚରଣେ

ମହକୁ ଚରିତ୍ର ଗୁଣ ଏ ବିଶ୍ୱଭୁବନେ ।

ପିତୃକୁଳ ପତିକୁଳ କର ମା ପବିତ୍ର ।

ଲଭ ମା ସତୀର ପୁଣ୍ୟ ସତୀର ଚରିତ୍ର ।

 

ଭୋକୀ ଶୋଷୀ ଅତିଥି ମା ନ ଫେରନ୍ତୁ ଦ୍ୱାରୁଁ,

କଲ୍ୟାଣ ଲଭ ମା ଦୀନ ଦରିଦ୍ରଙ୍କ ଠାରୁ ।

ଅନ୍ନପୂର୍ଣ୍ଣାରୂପେ ମାତା ବାଣ୍ଟିଅନ୍ନପାନ

ସ୍ୱଜନ କୁଟୁମ୍ୱେ କର ସନ୍ତୋଷବିଧାନ ।

 

ବଜ୍ର ହେଉ କାଚ ହୁଏ ପତି−ପୁତ୍ରବତୀ

ଏ କଲ୍ୟାଣ କରନ୍ତୁ ମା ! ପ୍ରଭୁ ଜଗତପତି ।

 

ବାଞ୍ଚାବତୀ

(ରୂପକ)

 

ପ୍ରେୟସୀ କାମିନ            ସଦା ସୁହାଗିନୀ

ନିଶିଦିବା ମୁଁ ତା ସେବାରେ ଥାଏଁ,

ଚରଣକୋୟର            ପ୍ରେମ ଭିକାରୀ ମୁଁ

କ୍ଷଣେ ହିଁ ମୁଁ ତାର ମନ ନ ପାଏ ।

 

ଚାତକ ପରାଏ            ପଥ ଚାହିଁ ଥାଏଁ

ଆଡ଼ ଆଖିରେ ସେ ମୋତେ ନ ଗୃହେ,

ବିବିଧ ଯତନେ            ବିବିଧ ସାମଗ୍ରୀ

ସଜାଡ଼େ, ସଜନୀ ଠେଲିଣ ଯାଏ ।

 

ଅଛନ୍ତି ମୋହର            ପଞ୍ଚ ପରିଚାରୀ

ପ୍ରାଣପ୍ରିୟା ସେବା କରନ୍ତି ନିତି,

ଚିର ଅତୃପତ ମୋ            ପ୍ରାଣସଙ୍ଗୀନୀ

କେସନ ଜନ୍ମିବ ପ୍ରେୟସୀପ୍ରୀତ ?

 

ଏକ ଅନୁଚରୀ            ଅନନ୍ତ ଗଗନୁଁ

ସୂର୍ଯ୍ୟ ଚନ୍ଦ୍ର ତାରା ଜ୍ୟୋତିଷ୍କଗଣ

ବନ ଉପବନୁଁ            ବିବିଧ କୁସୁମ

ତରୁଲତା ଡାଳୁଁ କରେ ଚୟନ ।

ବିବିଧ ବିହଙ୍ଗ            ବିଭିନ୍ନ ଦେଶରୁ

ଧରି ଆଣି ରଖେ ହେମ ପିଞ୍ଜରେ,

ବିଚିତ୍ର ସୁନ୍ଦର            ନେତ୍ର ତୃପ୍ତିପ୍ରଦ

ଯେତେ ଦୃଶ୍ୟରାଜି ସଜ୍ଜିତ କରେ ।

ଆନ ପରିଚାରୀ            ବିଶ୍ୱ ଚରାଚରୁଁ

ଆଣିଣ ଶୁଣାଏ ବିବିଧ ତାନ ।

ବିହଙ୍ଗକାକଳି            ନଦୀ କଳ କଳ

ସିନ୍ଧୁଗରଜନ ସୁକଣ୍ଠଗାନ ।

ତୃତୀୟ କିଙ୍କରୀ            ସ୍ପର୍ଶ ସୁଖକରୀ

କୋମଳ ଚିକ୍‌କଣ ପଦାର୍ଥରାଶି,

ପ୍ରିୟାପାଦ−ପଦ୍ମେ            ଖଟାଇଣ ଥାଏ

ପାଦଦଳେ ତା ମୋ ମାନସବାସୀ ।

ଚତୁର୍ଥ ସଜନୀ            ଚୟନ କରଇ

ସୁବାସ କୁସୁମ ଚୁଆ ଚନ୍ଦନେ,

ପଞ୍ଚମ ପରଜା            ଯୋଗାଏ ନିୟତ

ସୁସ୍ୱାଦୁ ଆହାର ଚାରୁ ଚରଣେ ।

 

କିନ୍ତୁ ଅଦଭୁତ            କିବା ସେ ଯୋଷିତ

ଚିର ଅତୃପତି ତାହାର ଚିତ୍ତ,

ସାରା ଜୀବନ ମୁଁ            କରେ ପଦାପୂଜା

କେସନ ତୃପତ ହେବ ମୋ ମିତ ।

 

କି ଉପାୟ କଲେ            ମାନମୟୀ ଭଲେ

ମୋ ଘରେ ରହିବ ସନ୍ତୁଷ୍ଟମାନେ,

ପଞ୍ଚ ସଖୀସହ            କଳେବରନୃପ

ସେବେ ବାଞ୍ଚାବତୀ ଚାରୁଚରଣେ ।

 

କିନ୍ତୁ ଇଚ୍ଛାବତୀ            ନୂଆ ପକ୍ଷପାତୀ

ପୁରୁଣା ତାହାକୁ ନ ଲାଗେ ଭଲ ,

ଏ ଶରୀରଭେଦ            କଳିକାଳବେଦ

ଭଣଇ ଶ୍ରୀ ନନ୍ଦକିଶୋର ବଳ ।

 

କବିର ପ୍ରାର୍ଥନା

 

ପ୍ରଭୁ ! ମୋତୋ ଦାନ କର କବିର ଜୀବନ,

ଦିଅ ମୋତେ ମହାପ୍ରଭୁ ! ପବିତ୍ରତାଧନ ।

ମୋ ଭାବ−ପ୍ରବଣ ଚିତ୍ତ କର ଶୁଦ୍ଧପୂତ,

ଗରଳ ଜାରଣ ଢାଳି ଦିଅ ପେମାମୃତ ।

 

ମୋ କବିତା−ଦୁଗ୍‌ଧ ଯୁବା ଯୁବତୀ ଯେସନେ

ପିଇ ମୋ କବିତାରସ ସୁପବିତ୍ରମନେ

ମଦୁମୟପ୍ରାଣେ ପୂତ କରନ୍ତୁ ଭୁବନେ,

ଦିଅ ପ୍ରଭୁ ପୂତଭାଷା ପୁଣ୍ୟଚିନ୍ତା ମନେ ।

 

ପ୍ରଚାରୁ କବିତା ମମ ପୁଣ୍ୟ ଆଦରଣ,

ତାଠାରୁ ଅଧିକ ଦେଉ ମୋ ପ୍ରାଣ−ପରଶ ।

ହେ ଶୁଦ୍ଧ ଅପାପବିଦ୍ଧ, ହେ ସଚ୍ଚିଦାନନ୍ଦ,

ମହକି ଯାଉ ମୋ ଗୀତେ ମୋ ପ୍ରାଣ−ସୁଗନ୍ଧ ।

 

କବିର ଜୀବନ ସଙ୍ଗେ ସାଧୁର ଜୀବନ

ଦିଅ ଅନ୍ତର୍ଯ୍ୟାମୀ ନାଥ ପତିତପାବନ ।

ଆକିଞ୍ଚନର ଆକିଞ୍ଚନ

 

ଖରତର ଦିନ ମୋର ଯାଉଅଛି ବିତି,

ମୃତ୍ୟ−ଅଭିମୁଖୀ ପଥେ ଚାଲେ ନିତି ନିତି ।

ଏହିପରି କିଛିକାଳେ            ସରିବ ମୋ ଯାତ୍ରା ଢାଳେ

ଆଉ ନ ଚାଲିବି ପଥ, ଆସିବ ଅନ୍ଧାର

ସେ ଅନ୍ଧାରେ ବନ୍ଦ ହେବ ଭବ−କାରବାର ।

 

ସରିବ ମୋ ସୁଉଦା ସେଦିନ ଭବହାଟେ,

ଆଉ ନ ଚାଲିବି ପ୍ରିୟ ପରିଚିତ ବାଟେ,

ଏ ସଂସାର−ଉପବନ            କି ମୋହନ ସୁଶୋଭନ

ଆଉ ନ ତୋଳିବି ଫୁଲ ସୁରଭି ସୁନ୍ଦର

ନ ଭୂଞ୍ଜିବି ରୂପ ରସ ଗନ୍ଧ ସ୍ପର୍ଶ ସ୍ୱର ।

 

ସୁନ୍ଦର ସଂସାର ମୋର ପ୍ରିୟ ପରିଜନ

ନିଦାରୁଣ କାଳବଳେ କରିବି ବର୍ଜ୍ଜନ,

ବିଚ୍ଛେଦ−ଆଶଙ୍କା ଯେଣୁ            ପ୍ରିୟତର ଦିଶେ ତେଣୁ,

ଯେତିକି ମୁଁ ମୃତ୍ୟପଥେ ହୁଏ ଅଗ୍ରସର,

ସେତିକି ସଂସାର ମୋତେ ଦିଶେ ପ୍ରିୟତର ।

 

ପ୍ରଭୁ ହେ କରୁଣା କରି ହୁଅ ମୋର ସାହା,

ବେଳହୁଁ ଦେଖାଅ ମୋତେ ଧର୍ମ−ପୁଣ୍ୟ−ରାହା,

ବୈରାଗ୍ୟ−ବାରିରେ ପ୍ରଭୁ            ଧୋଇଦିଅ ମୋହସବୁ

ପୁଣ୍ୟବଳେ ପଦତଳେ ପାଏଁ ଯେହ୍ନେ ଠାଇଁ,

ତବ ପଦ ବିନା ମମ ଗତ୍ୟନ୍ତର ନାହିଁ ।

 

ବେଳସୁଁ ବ୍ୟବସ୍ଥା ମୋର କର କୃପାସିନ୍ଧୁ

ସରସ କରୁ ମୋ ପ୍ରାଣ କରୁଣାର ବିନ୍ଦୁ

ନାଶ ମମ ମୋହଧ୍ୱାନ୍ତ            କର ପବିତ୍ର ପ୍ରଶାନ୍ତ

ଯାଉ ସର୍ବ ଆବିଳତା ସଂସାର−ଜମ୍ୱାଳ,

ମୋ ମଳିନ ମନେ ତବ ପ୍ରେମବାରି ଢାଳ ।

 

ପବିତ୍ର କର୍ତ୍ତବ୍ୟ ପାଳି ମୋର ଦିନ ଯାଉ

ତବ ଶ୍ରୀପଦପଙ୍କଜେ ଚିତ୍ତଭୃଙ୍ଗ ଥାଉ,

ନିଷ୍କାମନିର୍ଲିପ୍ତଭାବେ            କରେଁ କର୍ମ ସର୍ବଠାବେ

କାୟମନୋବାକ୍ୟେ କରି ସତ୍ୟ ଆଚରଣ,

ବିଭୂ−ଇଚ୍ଛା ଅନୁସରି ଯାଉ ଏ ଜୀବନ ।

 

ସନ୍ଧ୍ୟା ଚିତ୍ର

 

ଅସ୍ତୋନ୍ମୁଖ ରକ୍ତକର ସହସ୍ର ଦୀଧିତି,

ଧୀରେ ମାଡ଼ି ଆସେ ସନ୍ଧ୍ୟା ପ୍ରାଚୀନଭକୋଳୁଁ,

ହମ୍ୱାରଡ଼ି ଛାଡ଼ି ଧେନୁ ବାହୁଡ଼େ ଗୋଗୋଷ୍ଠୁଁ,

ଆଶ୍ରୟ ତରୁଆଡ଼କୁ ଉଡେ ବିହଙ୍ଗମ,

 

ପଲ୍ଲୀଦାଣ୍ଡେ ନ ଖେଳନ୍ତି ଗ୍ରାମଶିଶୁବୃନ୍ଦ

ନୀର−ପୂର୍ଣ୍ଣପାତ୍ରେ ବଧୁ ବାହୁଡ଼ନ୍ତି ଗୃହେ,

ଫେରିଯାଏ କୃଷୀବଳ କେଦାରୁ ସ୍ୱବାସେ,

ହାଟରୁ ହାଟୁଆମାନେ ଫେରନ୍ତି ଆବାସେ,

 

ତୁରୀ ଭେରୀ ଶଙ୍ଖ ଘଣ୍ଟା ବାଜଇ ମନ୍ଦିରେ,

ପ୍ରଦୋଷପବନ ବହିଆସେ ଧୀରେ ଧୀରେ,

ଥିଲା ଯା ପ୍ରକାଶ ଏବେ ହେଲାଣି ନୀରବ

ଥିଲା ଯା ନୀରବ ଏବେ ହେଉଛି ପ୍ରକଟ,

 

ବେଗେ ଚାଲ ପାନ୍ଥ ! ମାଡ଼ି ଆସୁଛି ଅନ୍ଧାର,

ଚିର ତ ନୁହଇ ଲୋକଲୋଚନ−ଆଲୋକ

ନ ରହିବ ଏ ସୁଯୋଗ ଏ କିରଣ ତାପ

ଆସୁଛି ଅନ୍ଧାର ସଙ୍ଗେ ଶୀତ ଅସାଢ଼ତା ?

 

ଦେଖିନିଅ ଏ ସୁନ୍ଦର ସଂସାର−ସୁଷମା,

ନିଭିଯିବ ନେତ୍ରବିଭା ଚରମ ତାମସେ,

ସ୍ନେହ ଦିଅ ସଙ୍ଗୀପାନ୍ଥେ ନ ମିଳିବ ବେଳ;

ନ ବସ ହେ ଧନୀ ଆଉ ବିଳାସ ଆଲସ୍ୟେ,

 

ଧାଇଁ ଧାଇଁ ଦେଖିଆସ ହରିତାଭ ସୃଷ୍ଟି,

ବିଚିତ୍ର ସୁନ୍ଦର ଏହି ଧରଣୀ ତନୁ,

ଚିର ତ ନୁହଇ ଦିନ ଆସିବ ଯାମିନୀ,

ନିଭିଯିବ ସୁରଦୀପ, ନୟନପ୍ରଦୀପ,

 

ନ ଭାତିବ ନେତ୍ରେ ଆଉ ମୋହନ ଭୁବନ,

କେଉଁ ଅନ୍ଧକାରଲୋକେ ଯିବ ରେ ଏ ଜୀବ

ଅନ୍ଧାରେ ସାଧିବ, ତେବେ ତାମସ ତପସ୍ୟା,

ଦିଅ ଦିଅ ଏ ଆଲୋକେ ସଜଳ ମେଲାଣି,

 

ଆସୁ ଅନ୍ଧକାର ତାକୁ ଆଣ ହେ ପାଛୋଟି,

ଆଲୋକ ଅନ୍ଧାର ଦୁହେଁ ବିଶ୍ୱେଶ୍ୱରଦୂତ ।

ଶୂନ୍ୟ କର ପ୍ରାଣ, ଯାଉ ସଂସାରଭାବନା,

ସ୍ଥାପ ଅଗ୍ରେ ମୃତ୍ୟୁ−ମୃର୍ତ୍ତି, ତେଜ ହେ କାମନା,

 

ଯାଉ କାର୍ଯ୍ୟ, ଯାଉ କଥା ବୃଥା, ବିଡ଼ମ୍ୱନା,

ସଂସାର ଜଞ୍ଜାଳ ବୃଥା କଳ୍ପନା ଜଳ୍ପନା ।

ନିଃଶଦ୍ଦ ନିଷ୍କାମ ହୋଇ ନିଷ୍କ୍ରିୟ ନିର୍ଦ୍ଦ୍ୱନ୍ଦ

ବସ ହେ ଏକାକୀ ଯେହ୍ନେ ଆସିଥିଲ ଯିବ ।

 

ପୌଷ ମାସେ

ରାଗ – କଳହଂସ କେଦାର

 

କେଡ଼େ ସୁନ୍ଦର ସଖା ଏ ପୌଷ ମାସ,

ସ୍ୱର୍ଣ୍ଣ−ଶସ୍ୟ−ଆଗମେ ଦୁଃଖ ବିନାଶ ହେ ।

ଆନନ୍ଦେ ଗୀତ ଗାଇ କୃଷକଗଣ

ପ୍ରଫୁଲ୍ଲମନେ କଲେ ଶସ୍ୟ ଚୟନ ସେ ।

 

କାହାର ପୌଷ ମାସ, କା ବଂଶ ନାଶ

ପୌଷ ପୌରୁଷ−ଭାଷ କରେ ପ୍ରକାଶ ସେ ।

ଶୀତ ରଜନୀ−ସୁଖେଧନାଢ଼୍ୟଜନ

କରନ୍ତି ସୁଖ−ନିଦ୍ରା ଅଙ୍କ ମଗନ ଯେ ।

 

ମିଠା ମିଠା ଖରାକୁ ପିଠି ଦେଖାଇ

ପ୍ରାଣୀଏ ସୁଖ ପାନ୍ତି ସେ ଖରା ଖାଇ ଯେ ।

କେଦାରେ ପକ୍ୱଶସ୍ୟ କରି ଦର୍ଶନ

ଗଗନେ ସଞ୍ଚରନ୍ତି ବିହଙ୍ଗଗଣ ।

 

ପନ୍ତି ପନ୍ତି ସଜ୍ଜିତ ବିହଗଦଳେ,

ଉଡ଼ିଯାଆନ୍ତି ନୀଳଆକାଶ ତଳେ ସେ ।

କି ରଙ୍ଗେ ପକ୍ଷୀ କେଉଁଆଡ଼େ ଚଳନ୍ତି,

ଶୋଭା−କଣିକା ଅବା ବିଞ୍ଚି ବୁଲନ୍ତି ସେ ।

ନିରେଖି ଗଗନର ନୀଳିମା ଶିରୀ

ଅନୁକରେ ସେ ଶୋଭା ଦୂରସ୍ଥ ଗିରି ଯେ ।

ପ୍ରଦୋଷେ ବ୍ୟୋମପଟେ ପ୍ରତୀଚୀ−ତଟେ

କି ଚିତ୍ର ବର୍ଣ୍ଣ ଆଭା ଆହା ପ୍ରକଟେ ।

ସୁନ୍ଦର ପୂର୍ଣ୍ଣ ଇନ୍ଦୁ ହସେ ଗଗନେ,

ରଜନୀରାଣୀ ବରେ ପ୍ରଫୁଲ୍ଲ ମନେ ।

ପୂର୍ଣ୍ଣଶସ୍ୟ କେଦାରେ ବାତ−ହିଲ୍ଲୋଳ

ଖେଳାଇ ଦେଇଯାଏ ଶୋଭା−କଲ୍ଲୋଳ କି ?

ସୁନ୍ଦର ଶତବର୍ଗ ଶେଫାଳୀଶୋଭା

କନକକାନ୍ତି ଜିଣି କି ମନେ ଲୋଭ ସେ ।

ଏ ସୁଖ ଶୋଭା ଦେଖି କିପାଁ ଏ ପ୍ରାଣେ

ପଡ଼େ ବିଷାଦ−ରେଖା ମୁହିଁ ନ ଜାଣେ ହେ ।

ଏସନ ପୌଷମାସେ ଏକ ଦିନରେ

ଆସିଣ ଥିଲି ମୁହିଁ ଏ ଧରା ପରେ ।

ମୋତେ ନିରେଖି ଯେହୁ ଲଭିଲେ ସୁଖ

କାହିଁ ଗଲେ ସୋମାନେ ଏହି ମୋ ଦୁଃଖ ଯେ

 

ଜନନୀ ପିଅର ମୋ ଭଉଣୀ ଭାଇ,

ଏକେ ଏକେ ସଂସାରୁ ଗଲେ ଉଭାଇ ।

ଥିଲେହେଁ ଜାୟା−ସୁତ−ତନୟା−ସୁଖ,

ଗଲେ ଯେ ତାଙ୍କୁ ଝୁରି ହୁଏ ମୋ ଦୁଃଖ ।

 

ଏହିରୂପେ ସଂସାର ଚଳଇ ନିତି,

ଦୁଃଖସୁଖରେ ଦିନ ଯାଉଛି ବିତି ।

କେବଣ ଦିନେ କଥା ଶୁଣିବ ଭାଇ

ପୁଷ−ମାସିଆ ଆଉ ସଂସାରେ ନାହିଁ ।

 

କିଣିଛି ମାଟି ମୁହିଁ କେଉଁ ଠାବର

ଜଣା ତ ନାହିଁ ମୋତେ କିଛି ଖବର ।

କେବେଣ ଦେଶେ ଯିବି କେତେ ଦୂର ସେ

କାହା ସଙ୍ଗେ ରହିବି କେଉଁ ରଭସେ ।

 

କେବଳ ମାସ ଦିନ ଫରକ ସିନା

ସଭିଙ୍କର ଅଟଇ ଏ ଦଶା କିନା ହେ ।

ଧନୀ ଦରିଦ୍ର ମୂର୍ଖ ପଣ୍ଡିତ ଜନ

ସଭିଙ୍କର ଭାଇ ହେ ଦଶା ଏସନ ।

 

ପ୍ରଭୁ ହେ ଏ ଜୀବନ ଏପରି ଯାଉ,

ତୁମ୍ଭରି ଇଚ୍ଛା ପୂର୍ଣ୍ଣ ହେଉଣ ଥାଉ ହେ ।

 

ବର୍ଷାଚିତ୍ର

 

ଘୋର ଗର୍ଜ୍ଜନେ ଆସୁଛି ବରଷା ମେଘ ମନ୍ଦ୍ରଇ ଗଗନେ,

ଚପଳା ଚମକେ ଦିଗ ଚମକିତ ଶୁଭେ ମର୍ମର କାନନେ ।

ଝରେ ଝର୍ଝର ଗିରି ନିର୍ଝର କଳସଙ୍ଗୀତେ ତଟିନୀ

ପ୍ରେମ ଚଞ୍ଚଳେ ଯାଏ ଉତ୍ତାଳେ ହେବାକୁ ସିନ୍ଧୁବାସିନୀ ।

 

ଗିରି−ଉପବନେ ନାଚଇ ବର୍ହୀ ହୋଇ ଉନ୍ମନ ସୁନ୍ଦର,

କେକା କଳରବେ ମୁଖରା ଦିଗ୍‌ବଧୂ ଆହା କି ନବୀନ ହୁନ୍ଦର ।

ମେଘ ବର୍ଷଇ ପବି ଗର୍ଜ୍ଜଇ ଚମକେ ଶମ୍ପା ତରାସେ,

ବାତ୍ୟା ତାଡ଼ିତ ଜଳ ବ୍ୟାହତ ଢେଉ କମ୍ପଇ ଆକାଶେ ।

 

ଦ୍ରୁମପଙ୍କତି ଜଳ ସଙ୍ଗତି ଦୋହଲି ପିଅଇ ନିରତେ

ଭେକଦମ୍ପତ୍ତି ନୀରସମ୍ପତ୍ତ ଭୋଗି ଉନ୍ମତ ଧୈବତେ

ମେଘ−ମେଦୁର−ନଭ ମୟୂର ଦେଖି ନାଚଇ ଆନନ୍ଦେ

ଗାଏ ସୁଖରେ ଗିରିଶିଖରେ ପ୍ରାବୃଟ−ଗୀତ ଛନ୍ଦେ ।

 

ମନଚଇତନ କୋଇଲି ଚଉତିଶା

 

କୋଇଲି ! କହେ ମନ ଚୈତନ୍ୟକୁ ଚାହିଁ,

କାହିଁ ମୁଁ ଅଇଲି କାହିଁ ଯାଉଅଛି ମୁହିଁ ଲୋ କୋଇଲି । ୧ ।

କୋଇଲି ! ଖଳ ପାଞ୍ଚି ମୋର ଷଡ଼ ଅରି,

ଖେଳାଇଲେ ଏ ସଂସାରେ ଖେଳଘର ପରି ଲୋ । ୨ ।

କୋଇଲି ! ଗଲା ବେଳ ଦେଖୁଁ ଦେଖୁଁ ମୋର,

ଗୁରୁ ଗରଜନେ ମେଘ ଘୋଟି ଆସେ ଘୋର ଲୋ । ୩ ।

କୋଇଲି ! ଘୋର ଅନ୍ଧକାର ଦଶଦିଶ,

ଘନଘନ ଘଡ଼ଘଡ଼ି ବିଜୁଳି କୁଳିଶ ଲୋ । ୪ ।

କୋଇଲି ! ନ ଦିଶଇ ପଥ କାହିଁ ଯିବି,

ନିଭିବ ଜୀବନଦୀପ ସଂସାର ତେଜିବି ଲୋ । ୫ ।

କୋଇଲି । ଚଞ୍ଚଳ ଅଚିର ଏ ଜୀବନ,

ଚପଳ ଯେସନ ପଦ୍ମପଲ୍ଲବେ ଜୀବନ ଲୋ । ୬ ।

କୋଇଲି ! ଛଦ୍ମବେଶେ ଲୁଚିଛି ଶମନ,

ଛାୟାପରି କାୟା ପଛେ କରଇ ଗମନ ଲୋ । ୭ ।

କୋଇଲି ! ଜଲଜଦଳରେ ଯେ ଜୀବନ,

ଜୀଇ ଥିବା କଥା ସିନା ସଂସାରେ ତେସନ ଲୋ । ୮ ।

 

କୋଇଲି ! ଝଟକଇ ଜୀବ ଆଗେ ସୁଖ,

ଝିଙ୍କି ନେଇ ଜରା−ମୃତ୍ୟୁ ଦିଏ କେତେ ଦୁଃଖ ଲୋ । ୯ ।

କୋଇଲି ! ନାହିଁ ନାହିଁ ମରଣୁଁ ନିସ୍ତାର,

ନେବା ଆଗୁଁ ପ୍ରଭୁପାଶେ କର ତୁ ଗୋଚର ଲୋ । ୧୦ ।

 

କୋଇଲି ! ଟେକି ଦୂବ କରନ୍ତି ସେ ଦାରୁ,

ଟାକି ରହିଥାଅ ତାଙ୍କୁ ସେ ତ ମହାମେରୁ ଲୋ । ୧୧ ।

କୋଇଲି ! ଠିକେ ମୁଁ ତ ତାଙ୍କରି କୋୟର,

ଠାବ କରି ଆସ ଯାଇ ପ୍ରଭୁଙ୍କ ପୟର ଲୋ । ୧୨ ।

 

କୋଇଲି ! ଡ଼ରାଉଛି ପାତକ ମରଣ,

ଡାକି ଆଣ ପାଶେ ମୋର ପତିତପାବନ ଲୋ । ୧୩ ।

କୋଇଲି ! ଢ଼ମ ଦେଖାଉଛି ଷଡ଼ ଅରି,

ଢାଳି ଦିଅ ପ୍ରାଣେ ମୋର ଶାନ୍ତି−ସୁଖ−ବାରି ଲୋ । ୧୪ ।

 

କୋଇଲି ! ନ ଡରିବି ବିପଦମରଣେ,

ନିଖିଳନାଥଙ୍କୁ ଭଜୁଥିବି ମୁଁ ନିର୍ଜ୍ଜନେ ଲୋ । ୧୫ ।

କୋଇଲି ! ତରିଯିବି ଏ ଭବସଂସାର,

ତରକାଇ ଦେଉଥିବୁ ମୋତେ ବାରମ୍ୱାର ଲୋ । ୧୬ ।

 

କୋଇଲି ! ଥୟ କରି ହରିଠାରେ ମନ,

ଥରେ ମନେ ସାଧୁକାର୍ଯ୍ୟେ ଯାପିବି ଜୀବନ ଲୋ । ୧୭ ।

କୋଇଲି ! ଦରିଦ୍ର−ରତନ ଦେବ ହରି,

ଦର୍ଶନ କରିଣ ଦୁଃଖୁଁ ଯିବି ମୁଁ ଉଦ୍ଧରି ଲୋ । ୧୮ ।

କୋଇଲି ଧର୍ମପଥେ କଲେ ମୁଁ ଗମନ,

ଧରିବେ କରୁଣାମୟ ଗଲେ ଏ ଜୀବନ ଲୋ । ୧୯ ।

କୋଇଲି ! ନ ମଜ୍ଜିବି ବିଷୟେ ମୁଁ ଆଉ,

ନିଲୁପ୍ତ ନିଷ୍କାମଭାବେ ମୋର ଦିନ ଯାଉ ଲୋ । ୨୦ ।

କୋଇଲି ! ପରାପର ନ କରିବି ଆଉ,

ପରାତ୍ପର ପାଦେ ମୋର ସଦା ମତି ଥାଉ ଲୋ । ୨୧ ।

କୋଇଲି ! ଫଳଠାରେ ନ ରଖିବି ଆଶା,

ଫଳ−ହୀନଭାବେ ମୁହିଁ କରିବି ବ୍ୟବସା ଲୋ । ୨୨ ।

କୋଇଲି ! ବଡ଼ କରେ ସାମାନ୍ୟେ ଅମାନ୍ୟ,

ବଡ଼ ଉପରକୁ ସ୍ୱର୍ଗେ ବସିବ ସାମାନ୍ୟ ଲୋ । ୨୩ ।

କୋଇଲି ! ଭବପୁରେ ପାପୀ ଗଣ୍ୟମାନ୍ୟ,

ଭବ ପରପାରେ ହୁଏ ସେ ଜୀବ ଅମାନ୍ୟ ଲୋ । ୨୪ ।

କୋଇଲି ! ମାତି ତେଣୁ ଧନ ଜନ ମାନ,

ମଣିବି ନାହିଁ ମୁଁ ଧରା କରି ସରାଜ୍ଞାନ ଲୋ । ୨୫ ।

କୋଇଲି ! ଯେଣୁ ଏ ଜୀବନ ଅଳ୍ପସ୍ଥାୟୀ,

ଯିବି ଏ ଜୀବନପଥେ ବ୍ରହ୍ନପଦ ଧ୍ୟାୟି ଲୋ । ୨୬ ।

କୋଇଲି ! ରହିବି ନାହିଁ ମୁଁ ଚିରକାଳ,

ରହିଥିବା ବେଳେ କର୍ମ କରିବି ଚଞ୍ଚଳ ଲୋ । ୨୭ ।

କୋଇଲି ! ଲବେ ନିମିଷରେ ପ୍ରଭୁଠାରେ,

ଲୟ ରଖି ସଦା କାର୍ଯ୍ୟ କରିବି ସଂସାରେ । ୨୮ ।

କୋଇଲି ! ବଡ଼ ଅବିଶ୍ୱାସୀ ଅଟେ କାଳ,

ବଞ୍ଚିଥିବା ପ୍ରାଣୀକୁ ସେ କରିଛି ଉଢ଼ାଳ ଲୋ । ୨୯ ।

କୋଇଲି ! ଶମନସଦନେ ଯାଇ ଯେହ୍ନେ

ଶାନ୍ତିରେ ରହିବି କର୍ମ କରିବି ମୁଁ ତେହ୍ନେ ଲୋ । ୩୦ ।

କୋଇଲି ! ସଦା ଜୀବ ସାଧୁ କାର୍ଯ୍ୟ କଲେ,

ସଂସାର ତେଜନ୍ତେ ସ୍ୱର୍ଗେ ଯିବ ସିନା ଭଲେ ଲୋ । ୩୧ ।

କୋଇଲି ! ଷଡ଼ରିପୁ ହେଲେ ମୋ ଆୟତ୍ତ,

ଷଡ଼ମିତ୍ରରୂପେ ସିନା ହେବେ ପରିଣତ ଲୋ । ୩୨ ।

କୋଇଲି ! ହୁସିୟାର ନୋହି ଯେବେ ଥିବି,

ହୁଡ଼ି ପଥ ଏ ଜୀବନ ବୃଥା ଚମାଇବି ଲୋ । ୩୩ ।

କୋଇଲି ! କ୍ଷମା ମୋତେ କରିବେ ଈଶ୍ୱର,

କ୍ଷେମ ହୀନ ଭାଷେ ଗୀତ ଶ୍ରୀ ନନ୍ଦକିଶୋର ଲୋ । ୩୪ ।

 

ତିନିରାହା ଏକ ସ୍ଥାନେ

 

ହରି ହରି କୃଷ୍ଣ            ଡାକୁଅଛି କେହି

ବ୍ରହ୍ନା ବିଷ୍ଣୁ ଶିବ ରାମ,

କେହି ଡାକେ ଖୋଦା            କେହି ଡାକେ ଗଡ଼୍

ସେହି ଜଣକର ନାମ ।

 

କାହିଁ ସେ ଅଛନ୍ତି            କେତେ ଦୂର ଦେଶେ

ଖୋଜୁଛନ୍ତି ଜ୍ଞାନୀମାନେ,

ଅଣୁ ପରମାଣୁ            ବ୍ୟାପି ରହିଛନ୍ତି

ଲୀଳା କରି ପ୍ରାଣେ ପ୍ରାଣେ ।

 

କିପରି ପାଇବି            କି ତପସ୍ୟା କଲେ

କର୍ମ୍ମେ ପ୍ରେମେ ଅବା ଜ୍ଞାନେ,

ଏକାନ୍ତ ସାଧନେ            ତଦଗତ ମନେ

ତିନି ରାହା ଏକ ସ୍ଥାନେ ।

 

ଦୁର୍ଦ୍ଦିନେ ସିନ୍ଧୁତଟେ

କର୍ମ−ସ୍ରୋତେ ଭାସି ଆସି ଜୀବନ−ବୋଇତ

ଲାଗି ଯାଇଅଛି ଆଜି ଏଥି ଶୁଣ ମିତ ।

ବସିଅଛି ଏ କୁଟୀରେ ଏକାକୀ−ନିର୍ଜନେ,

କେତେ କେତେ ପୂର୍ବସ୍ମୃତି ପଡ଼େ ମୋର ମନେ ।

ଆକାଶ ଆବୃତ ଆଜି ମହାଘୋର ଘନେ,

କେତେ ଭାବ ଭାସି ଆସେ ମାନସ−ଗଗନେ ।

ଗୁରୁ ଗୁରୁ ଗରଜଇ ପ୍ରମତ୍ତ ପବନ,

ଝର ଝର ଝରୁଅଛି ବାରିଦଜୀବନ ।

ଗୋଟିଏ ମାନବ ଏ ଦୁର୍ଦ୍ଦିନେ ଦେଖା ନାହିଁ,

ପଦାର୍ଥ ଦୁର୍ଲଭ ହେଲେ ପ୍ରିୟ ହୁଏ ଭାଇ ।

ଏ ପଥେ ପଥିକ କେତେ ଚାଲି ଯାଉଥାନ୍ତି,

କେତେ ଗୀତ ଗାଇ କେତେ କଥା କହୁଥାନ୍ତି ।

ଗହଳ ଚହଳ ଲାଗୁଥାଏ ବିଷ ପରି,

ଅଳସ ବିଳାସ କର୍ମେ କଣ୍ଟକର ସରି ।

ଆଜି କେହି ଦେଖା ନାହିଁ ଏ ରାଜପଥରେ,

ଘଟଇ ଘଟନା−ସ୍ରୋତେ ସବୁ ଜଗତରେ ।

 

ଚୌଦିଗେ ସିକତାମୟ ବିଶାଳ ପ୍ରାନ୍ତର,

ଝାଉଁବୃକ୍ଷଶ୍ରେଣୀ ତହିଁ ଦିଶନ୍ତି ସୁନ୍ଦର ।

କୁଟୀର ସମ୍ମୁଖେ ଛନ୍ତି ବଟବୃକ୍ଷ−ପନ୍ତି,

ଶଙ୍ଖଚିଲ ବେନି ତହିଁ ସୁଖେ ବିହରନ୍ତି ।

ଗୃହମଧ୍ୟେ ଶୀତବାସ ଲୋଡ଼େ ମୁଁ ଶୀତରେ,

ଆନନ୍ଦେ ଆତାୟୀ ରାବେ ବିଟପୀ ଉପରେ ।

ଧନ୍ୟ ଧନ୍ୟ ମହାପ୍ରଭୁ ତୋ ମଙ୍ଗଳ ବିଧି,

କଳ୍ପତରୁ ଚିନ୍ତାମଣି ଦୀନ ବାଞ୍ଚାନିଧି !

ଧନ୍ୟ କାରୁଣିକ ବିଧି ! ତବ ସୁବିଧାନ,

ଯାହାର ଯେଉଁଟି ଲୋଡ଼ା କରିଛ ପ୍ରଦାନ ।

ଶୁଭୁଅଛି ଘନଘୋଷେ ସିନ୍ଧୁର ଗର୍ଜ୍ଜନ,

ଶ୍ରବଣବିବର ଭେଦି ପରଶେ ତା ମନ ।

କି ଗମ୍ଭୀର କି ପବିତ୍ର କି ଅପୂର୍ବ ରବ !

ହେ ଭୂମା ବ୍ରହ୍ନାଣ୍ଡ ସ୍ୱାମି ମହାସୃଷ୍ଟି ତବ,

କେମନ୍ତ ସୁନ୍ଦର ଆହା କି ଲାବଣ୍ୟମୟ !

ଅତି ପରିଚୟେ ଲୁଚେ ସୁଷମାନିଚୟ ।

ଶୈଶବେ ସରିତ ତଟେ ସରିତେ ଅନାଇ

ମନେ କରୁଥିଲି “କୂଳେ କୂଳେ ଯିବି ଧାଇଁ,

କାହିଁ ଏହା ଅନ୍ତ ତାହା କରିବି କଳନ”,

ଏବେ ପ୍ରଭୁଙ୍କ ଇଚ୍ଛାରେ ଏଥି ଆଗମନ ।

 

ସର୍ବ−ସରିତ୍‌ପତି ସିନ୍ଧୁ ତଟେ ଦେଶ−ଶେଷ,

ଦର୍ଶନ ଏହାର ସିନା ସୌଭାଗ୍ୟ ବିଶେଷ ।

ପୃଷ୍ଠେ କେତେ ଦେଶ ମଧ୍ୟେ ଅଛି ବ୍ୟବଧାନ,

କି ଅନନ୍ତ ମହାସିନ୍ଧୁ ଅଗ୍ରେ ବିଦ୍ୟମାନ ।

 

ଛାଡ଼ି ଯା ଆସଲି ପୁଣି ଅଛି ଯା ପୁରତେ,

କୋଟି ଅଂଶୁଁ ଅଂଶେ ସୁଦ୍ଧା ନାହିଁ ମୋ ଆୟତ୍ତେ ।

କୋଟି ଜନ୍ମ ଜନ୍ମାନ୍ତରେ ନୋହିବ ପୂରଣ,

ଆଉ ତ କେତେଟା ଦିନେ ସରିବ ଜୀବନ ।

 

କି ଉଦ୍ଦେଶ୍ୟେ ଆସିଥିଲି ଏହି ଭବଦେଶେ,

ସାଧିଲି କେତେ ବା ଅଷ୍ଟ−ଚତ୍ୱାରିଂଶତ ବଷେ ।

 

ଜଣାଣ

ଅନନ୍ତ ଅପାର ଅସୀମ ଦେଶ−କାଳ−ଅତୀତ,

ଅନନ୍ତ କୋଟିଏ ବ୍ରହ୍ମାଣ୍ଡ ଲୋମକୂପେ ଆଶ୍ରିତ ।

ଗ୍ରହ−ଉପଗ୍ରହ−ନକ୍ଷତ୍ର−ତାରା ଜ୍ୟୋତିଷ୍କପନ୍ତି

ସମ୍ୱଳିତ ସୌର ଜଗତ କୋଟି କୋଟି ଭ୍ରମନ୍ତି ।

 

କଳ୍ପକଳ୍ପାନ୍ତରୁ ଜ୍ୟୋତିଷ୍କ ଦେହୁ ଜ୍ୟୋତି−କିରଣ,

କଟାକ୍ଷେ ସହସ୍ର ସହସ୍ର କ୍ରୋଶ କରି ଭ୍ରମଣ

ଆଜିଯାଏ ପ୍ରଭୁ ପହଞ୍ଚି ନାହିଁ ପୃଥିବୀପାଶେ,

ଧନ୍ୟ ବିଶ୍ୱପତି ମହିମା ସୃଷ୍ଟି ମଧ୍ୟେ ପ୍ରକାଶେ ।

 

ଅନନ୍ତ ଅଚିନ୍ତ୍ୟ ହେଲେହେଁ ପ୍ରଭୁ କୃପାନିଧାନ,

ଭକ୍ତ ସହ କର ବିହାର ହୋଇ ପ୍ରାଣର ପ୍ରାଣ ।

ତୁମ୍ଭ ଗୁଣ କିଏ ବର୍ଣ୍ଣବ ତାହା ଅଟେ ଅଶେଷ ।

କେତେ ଋଷି ମୁନି ମୁନୀନ୍ଦ୍ର ତୁମ୍ଭ ଅନନ୍ତ ଜ୍ଞାନେ,

ନ ପାଇଲେ କୂଳକିନାରା ଯୁଗଯୁଗାନ୍ତ ଧ୍ୟାନେ ।

 

ପତିତ−ପାବନ−ବାନା ହେ ଭକ୍ତବତ୍ସଳ ହରି,

ଭାବବିନୋଦିଆ ଠାକୁର କୃପା ବଳରେ ତରି ।

ଦୀନବନ୍ଧୁ କୃପାସିନ୍ଧୁ ହେ ଦୀନ−ଦୁଃଖି−ଆଶ୍ରୟ,

ଭକ୍ତଜନ ବଜ−ସେହ୍ନା ହେ ବିଭୂ କରୁଣାମୟ ।

 

ଟେକି ଦୂବ କର ଦାରୁ ହେ କର ପ୍ରାଣ−ଦୋସର ।

ତବ ନାମ କିବା ମଧୁର ଗାଇ ନୁହେଁ ତୃପତି,

ତବ ସଙ୍ଗେ କେଡ଼େ କୋମଳ ଆହେ ପରାଣ−ପତି ।

ଗୁଣି ତବ ଗୁଣ ନାଥ ହେ, ହେଉ ଏ ରାତି ଭୋର,

ତୋର ଭୃତ୍ୟ ଅନୁଭୃତ୍ୟ ଏ ଦୀନ ନନ୍ଦକିଶୋର ।

 

ଯୁଗେ ଯୁଗେ ପ୍ରଭୁ ଘେନିଣ ଭକ୍ତଦଳ ସଙ୍ଗରେ,

ଲୀଳା କଲ ଦେବ ! ଭୁବନେ ଆହା କେତେ ରଙ୍ଗରେ ।

ବୁଦ୍ଧ ମହମ୍ମଦ ଶଙ୍କର ଈଶା ମୂଷା ଚୈତନ୍ୟ,

କେତେ ସାଧୁ ବକ୍ତ ବୌରାଗୀ କଲେ ଏ ଧରା ଧନ୍ୟ ।

 

କେତେ ଯୁଗ ଧର୍ମ ସୃଜିଲ କେତେ ନବ ବିଧାନ,

ଧରା ହେଲା ସ୍ୱର୍ଗ ପରାଏ ପାଇ ନବ ପରାଣ ।

ଗୋଟିର ପଛରେ ପ୍ରଭୁ ହେ ! ପଠିଆଇଲ ଆଉ

କେତେ ଲୀଳା ଖେଳା କରୁଛ ଆହେ ଶ୍ରୀମହାବାହୁ ।

 

 

ବଳୀଆରଭୁଜ ପ୍ରଭୁ ହେ କେତେ ରଙ୍ଗ ନ ଜାଣ,

କେତେ ନୂଆ ନୂଆ ଖେଳ ହେ କେତେ ନୂଆ ଭିଆଣ ।

ମାତା ଯେହ୍ନେ ନୂଆ ଖେଳଣା ଦିଏ ଶିଶୁକୁ ତାର,

ମନ ଭାଙ୍ଗିଗଲେ ଦିଅଇ ଆଣି ଆନ ପ୍ରକାର,

 

ସେହିପରି ପରା ଜନନି, ଜଗନ୍ନାତା ଚିନ୍ମୟି ।

ଖେଳାଉଛ ତବ ସନ୍ତାନେ ଅନ୍ତରାଳରେ ରହି

ଏକ ରବିକର ଯେସନ ସପ୍ତ ବର୍ଣ୍ଣ ବିକାଶେ,

ଏକ ସୃଷ୍ଟି ତେହ୍ନେ ମାନବେ ବହୁରୂପେ ପ୍ରକାଶେ ।

 

ପୃଥିବୀର ପୁରା କାହାଣୀ ପ୍ରଭୁ ! କର ପ୍ରଚାର,

ମଙ୍ଗଳମୟ ହେ ତୁମ୍ଭର ଶୁଭ ସୁମାଚାର ।

 

ଯେଉୁଁ ଠାରେ ଯାହା ଲୋଡ଼ା ହେ ସତ୍ୟ-ଶିବ-ସୁନ୍ଦର !

ଯୁଗେ ଯୁଗେ ଆଣି ଦେଇଛ ଶୁଭ ବିଧି ତୁମ୍ଭର ।

ସାଧୁ ପରିତ୍ରାଣ ଦୁରିତ ନାଶ ଆଶେ ଶ୍ରୀହରି,

ଯୁଗକୁ ଯୁଗ ଏ ଜଗତେ ଥାଅ ପ୍ରଭୁ ବିହରି ।

 

ଜଡ଼ ଉଦଭିଦ ପରାଣୀ ପଶୁ ନର ସୃଜନ,

କରିଅଛି କେଡ଼େ କୌଶଳେ ପ୍ରଭୁ ଜଗନ୍ମୋହନ ।

ବହୁ ବହୁ ଏକ ମଧ୍ୟରେ ଦେଖ ରହିଛି ଲୁଚି;

କେଡ଼େ ଶୋଭାବନ ସୃଜମ ଜନ ନେତ୍ରେ ଦିଶୁଛି ।

 

ଆହେ ପ୍ରେମମୟ ଶ୍ରୀହରି ଧନ୍ୟ ଭକ୍ତବତ୍ସଳ ।

ଦାସାନୁଦାସ ତୋ ସେବକ ନନ୍ଦକିଶୋର ବଳ ।

 

ମଧୁର ବିହଙ୍ଗ କାକଳି ଏଣ ଏଣୀଙ୍କ ରଙ୍ଗ,

ମଧୁର ନବୀନ ବସନ୍ତେ ଲତାପତ୍ର ସୁରଙ୍ଗ ।

ସୁରଙ୍ଗ ସୁରଭି କୁସୁମ ଘନ ନିକୁଞ୍ଜପନ୍ତି,

ପ୍ରଭୁ ହେ ଶ୍ରୀକର ପରଶେ କି ସୁନ୍ଦର ଦିଶନ୍ତି ।

 

ଅନନ୍ତ ଜ୍ୟୋତିଷ୍କପୂରିତ ସୁବିଶାଳ ଆକାଶ

ଅନନ୍ତ ମହିମା କରଇ ନିରନ୍ତର ପ୍ରକାଶ ।

ଶାରଦ ବାସନ୍ତ ନିଶୀଥେ ନଭ ନୀଳ ନିର୍ମଳ

ଅନନ୍ତ ତାରକାଖଚିତ ଶୁଭ୍ର ଚନ୍ଦ୍ରମଣ୍ଡଳ ।

 

ବୀଚକଳକଳ ଫେନିଳ ତରଙ୍ଗାୟିତ ସିନ୍ଧୁ,

ଅନନ୍ତ ଅତଳ ବିସ୍ତାର ତବ ଶକ୍ତିର ବିନ୍ଦୁ ।

ଶିଶୁ ଶୁଭ୍ରସ୍ମିତ ବଦନ ଦିରୋଟିଆ ବଚନ,

ଲାବଣ୍ୟମୟୀର ପବିତ୍ର ସୁଧାମୟ ଯୌବନ,

 

ଧରଣୀ ଗଗନ କାନ୍ତାର ନଦୀ ବନ ପ୍ରାନ୍ତର

ପ୍ରଭାତ ପ୍ରଦୋଷ ଦିବସ ନିଶି କିବା ସୁନ୍ଦର ।

ଶରତ ବସନ୍ତ ଏ ଆଦି ଋତୁ ପର୍ଯ୍ୟାୟ ହରି !

ପ୍ରଚାର କରନ୍ତି ବିଚିତ୍ର ଶୋଭା ପ୍ରଭୁ ତୁମ୍ଭରି ।

 

ଜନ୍ମ ମୃତ୍ୟୁ ବନ୍ଧୁ କୁଟୁମ୍ୱ ଲୀଳା ଏ ସଂସାରର,

ତୁମ୍ଭ ଶୁଭ ବିଧି ପ୍ରକାଶ କରେ ହେ ମହେଶ୍ୱର ।

ଦେଇଛ ଯଥେଷ୍ଟ ପ୍ରଭୁ ହେ ଧନ୍ୟ ଧନ୍ୟ ଶ୍ରୀହରି,

କୋଟି ଦଣ୍ଡବତ ସ୍ୱାମି ହେ ତବ ଚରଣ ଧରି ।

 

ସବୁ ତ ଦେଇଛ ହେ ପ୍ରଭୁ ଦିଅ ଦର୍ଶନ ଥରେ,

କାହିଁ ଅଛ ହରି ଲୁଚିଣ ଦେଖାଦିଅ ପ୍ରାଣରେ ।

ପତିତପାବନ ଶ୍ରୀହରି ଆହେ କରୁଣାସିନ୍ଧୁ !

ନିଜ ଗୁଣେ ନାଥ ତାର ଏ ଦୀନେ ହେ ଦୀନବନ୍ଧୁ !

 

ଅତି ଦୀନହୀନ ପାତକୀ ଅତି ତୁଚ୍ଛ ଏ ପ୍ରାଣୀ

ଶରଣ−ବତ୍ସଳ ରଖ ହେ ତବ ଚରଣେ ଟାଣି ।

ଦିଅ ପଦରେଣୁ ମସ୍ତକେ ଯାଉ ଏ ପାପୀ ତରି,

ଜୟ ଭକ୍ତଜନ−ବଲ୍ଲଭ ଦୀନ−ଦୁଃଖୀଙ୍କ ହରି ।

 

ଅନ୍ଧର ଲଉଡ଼ି ପ୍ରଭୁ ହେ ଦରିଦ୍ରର ସଙ୍ଖାଳି

ତବ କୃପା ବାରି ପ୍ରଭୁ ହେ ଦିଅ ଉପରେ ଢାଳି ।

ଆସୁଛି ସେଦିନ ତେଜିବି ଧରା−ଧନ−ସ୍ୱଜନ,

ପ୍ରିୟତମ ଏହି ଜୀବନ ମଧୁମୟ ଭୂବନ ।

 

କେଉଁ ଅନ୍ଧାର ଅଜ୍ଞାତ ରାଜ୍ୟେ ହେବ ମୋ ବାସ,

ବେଳୁ ଅଜ୍ଞା କର ଶ୍ରୀମୁଖୁଁ ଦାସେ ହେ ଶ୍ରୀନିବାସ !

କାହିଁ ପାଇଁ ଆଉ ଭୁଲିଣ ବୁଲିବଇଁ ସଂସାରେ

ତେଜି ଯିବାକୁ ତ ହେବ ହେ ନିଶ୍ଚେ ଏ ସ୍ଥାନ ବାରେ ।

 

କେଉଁଦିନ ମୃତ୍ୟୁ ଆସିବ ଜଣା ନାହିଁ ତ କିଛି

କାହିଁ ପାଇଁ କେଉଁ ଦମ୍ଭରେ ତାକୁ ଭୁଲି ରହିଛି ।

ତୁମ୍ଭ ପଥେ ପ୍ରଭୁ ରଖ ହେ ବଳେ ଆକର୍ଷି ଧର,

ଅନ୍ତଃକାଳେ ପଦେ ରଖ ହେ ପାପହାରି ଶ୍ରୀହରି ।